କନକ ବ୍ୟୁରୋ: ମଣିପୁର ହିଂସାକୁ ନେଇ ସଂସଦରେ ପ୍ରବଳ ହଙ୍ଗାମା । ସରକାରୀ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ପ୍ରତ୍ୟେକ ଦିନ ଆରୋପ ପ୍ରତ୍ୟାରୋପ ଆଉ ହଙ୍ଗାମା ଦେଖିବାକୁ ମିଳୁଛି । ଏହି କାରଣରୁ ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଗୋଟିଏ ବି ଦିନ ଭଲରେ ଚାଲିପାରିନାହିଁ ।

Advertisment

ସରକାରୀ ଦଳ ଏବଂ ବିରୋଧୀ ଦଳ ଉଭୟ ଉଭୟଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । କିନ୍ତୁ ସଂସଦରେ ହେଉଥିବା ହଙ୍ଗାମା ପାଇଁ କେବଳ ସମୟ ନୁହେଁ ଅନେକ ଟଙ୍କା ମଧ୍ୟ ଅପଚୟ ହେଉଛି । ଅଚଳାବସ୍ଥା ମଧ୍ୟରେ ସଂସଦର କେତେ ସମୟ ନଷ୍ଟ ହୋଇଛି ଏବଂ କେତେ ଆର୍ଥିକ କ୍ଷତି ହୋଇଛି ଆସନ୍ତୁ ଜାଣିବା ।

ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ । ପ୍ରତ୍ୟେକ ଦିନ ସଂସଦର କାର୍ଯ୍ୟ ଅଚଳାବସ୍ଥା ପାଇଁ ସ୍ଥଗିତ ହେଉଛି । ସ୍ଥିତି ଏମିତି ବି ଥିଲା ବିରୋଧୀ ଦଳର ସାଂସଦଙ୍କୁ ଗୃହକାର୍ଯ୍ୟରୁ ନିଲମ୍ବନ ମଧ୍ୟ କରାଯାଇଥିଲା । ତେବେ ସ୍ଥିତି ଯେମିତିକୁ ସେମିତି ରହିଥିଲା । ସମୟ ଅପଚୟ ହେଉଥିବା କଥା ଆପଣ ଚଳିତ ବର୍ଷର ବଜେଟ ଅଧିବେଶନରୁ ଅନୁମେୟ କରିପାରିବେ । ବଜେଟ ଅଧିବେଶନରେ ଲୋକସଭା ନିଜର ନିର୍ଦ୍ଧାରିତ ୧୩୩.୬ ଘଣ୍ଟାରୁ ମାତ୍ର ୪୫.୯ ଘଣ୍ଟା ଚାଲିପାରିଥିଲା । ଏଥିରୁ ତ କେବଳ ୨୦.୩ ଘଣ୍ଟା କେବଳ ହଙ୍ଗାମାରେ ଶେଷ ହୋଇଥିଲା । ସେହିଭଳି ରାଜ୍ୟସଭା ନିଜର ନିର୍ଦ୍ଧାରିତ ୧୩୩ ଘଣ୍ଟାରୁ ମାତ୍ର ୩୨.୩ ଘଣ୍ଟା ହିଁ ଚାଲିପାରିଥିଲା । ଏଥିରୁ ୧୮ ଘଣ୍ଟା କେବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ହଙ୍ଗାମା ପାଇଁ ଲୋକସଭାକୁ ୯୬ ଘଣ୍ଟାର କ୍ଷତି ହୋଇଥିଲା । ସେହିଭଳି ରାଜ୍ୟସଭାକୁ ୧୦୩ ଘଣ୍ଟାର କ୍ଷତି ସହିବାକୁ ପଡିଥିଲା ।

କେବଳ ଯେ ଏଥିରେ ସମୟର ଅପଚୟ ହୋଇଛି ତାହା ନୁହେଁ । ଅନେକ ଟଙ୍କାର କ୍ଷତି ମଧ୍ୟ ହୋଇଛି । ପିଆରଏସ ଲେଜିସଲେଟିଭ ରିସର୍ଚ୍ଚର ତଥ୍ୟ ଅନୁସାରେ ସଂସଦର ପ୍ରତ୍ୟେକ ଅଧିବେଶନ ପାଇଁ ପ୍ରତ୍ୟେକ ମିନିଟରେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଅର୍ଥାତ ଏକ ଘଣ୍ଟାକୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ ।

୨୦୨୨ ମୌସୁମୀ ଅଧିବେଶନର କଥା ଯଦି କହିବା ସଂସଦର କାର୍ଯ୍ୟ ନଚାଲିବା କାରଣରୁ ୧୩୩ କୋଟିର କ୍ଷତି ହୋଇଥିଲା । ପ୍ରତ୍ୟେକ ଦିନର ୧୦ କୋଟିର ଖର୍ଚ୍ଚରୁ ଗୃହର ଦେଖାଶୁଣା, ବିଜୁଳୀ, ପାଣି, ପେଟ୍ରୋଲ, ଖାଦ୍ୟ ଏବଂ ସଂସଦର କର୍ମଚାରୀଙ୍କୁ ଦିଆଯାଇଥିବା ଟଙ୍କା ବି ସାମିଲ ରହିଛି । ସେହିପରି ସାଂସଦଙ୍କ ଉପରେ ହେଉଥିବା ଖର୍ଚ୍ଚ ବି ଏହାର ଅଂଶ ଅଟେ ।

ଲୋକସଭା ଏବଂ ରାଜ୍ୟସଭାର ପ୍ରତ୍ୟେକ ସାଂସଦଙ୍କ ପ୍ରତ୍ୟେକ ମାସର ଦରମା ୫୦ ହଜାର ଟଙ୍କା । ଏହା ବାଦ ସେମାନଙ୍କୁ ୪୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ । ଅଫିସ ଖର୍ଚ୍ଚ ବାବଦରେ ୧୫ ହଜାର ଟଙ୍କା । କର୍ମଚାରୀଙ୍କ ପାଇଁ ୩୦ ହଜାର ଟଙ୍କା । ଗୋଟିଏ ବର୍ଷରେ ୩୪ଟି ବିମାନ ଯାତ୍ରା ଏବଂ ରେଳ ସହ ସଡକରେ ଯାତାୟତର ସୁବିଧା ମିଳିଥାଏ । ଏହା ଛଡା ସଂସଦର କୌଣସି ଅଧିବେଶନ ଚାଲିଥାଏ ସେତେବେଳେ ସାଂସଦଙ୍କୁ ପ୍ରତ୍ୟେକ ଦିନ ୨ ହଜାର ଟଙ୍କାର ଭତ୍ତା ମିଳିଥାଏ । ଏସମସ୍ତ ଖର୍ଚ୍ଚକୁ ଯଦି ଯୋଡା ଯାଏ ତେବେ ବର୍ଷକରେ ସାଂସଦଙ୍କ ପାଇଁ ୧୭୬ କୋଟି ଖର୍ଚ୍ଚ ହୋଇଥାଏ ।

ଏହିଭଳି ସ୍ଥିତିରେ ଯଦି ସଂସଦରେ ହଙ୍ଗାମା ଜାରିରହେ ତେବେ ସଂସଦର କାମ କରିବାର କ୍ଷମତା ଉପରେ ଏହାର ଗଭୀର ପ୍ରଭାବ ପଡିବ । ସେହିଭଳି କର ଦେଉଥିବା ଲୋକଙ୍କୁ ଆର୍ଥିକ ଅସୁବିଧା ଭୋଗିବାକୁ ପଡିବା