ସଂସଦ ଅଧିବେଶନ : ସାଂସଦ ଏବଂ ପରିବାର ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରିବା ବାଧ୍ୟତାମୂଳକ କଲା ସଂସଦ ସଚିବାଳୟ । ସଂସଦ ମଧ୍ୟରେ ଖୋଲିଲା ପରୀକ୍ଷଣ କେନ୍ଦ୍ର

64

କନକ ବ୍ୟୁରୋ : ସଂସଦ ଅଧିବେଶନରେ ଯୋଗଦେବା ପୂର୍ବରୁ ସମସ୍ତ ସାଂସଦ ଏବଂ ସେମାନଙ୍କ ପରିବାର ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରିବାକୁ ବାଧ୍ୟତାମୂଳକ କରିଛି ସଂସଦ ସଚିବାଳୟ । ଏଥିପାଇଁ ସଂସଦ ମଧ୍ୟରେ ଏକ ପରୀକ୍ଷଣ କେନ୍ଦ୍ର ଖୋଲାଯାଇଛି । ସେମାନେ ସେଠାରେ ଆଂଟିଜେନ୍ ଟେଷ୍ଟ କରିପାରିବେ । ଆବଶ୍ୟକ ହେଲେ ସେଠାରେ ଆରଟି ପିସିଆର ପରୀକ୍ଷା ମଧ୍ୟ କରାଯାଇ ପାରିବ । ପରିବାର ସଦସ୍ୟ କିମ୍ବା ନିଜ କର୍ମଚାରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେଲେ ସାଂସଦଙ୍କୁ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସଂସଦ ଭିତରେ ସମସ୍ତ ସଦସ୍ୟ ମାସ୍କ ପିନ୍ଧିବା ଜରୁରୀ । ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅନ୍ୟପଟେ ସଂସଦ ପରିଚାଳନା ସମୟ ସାରଣୀରେ ମଧ୍ୟ ବହୁ ପରିବର୍ତନ କରାଯାଇଛି । ପ୍ରଶ୍ନକାଳ ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ରାଜ୍ୟସଭା ସକାଳ ୯ଟା ଓ ଅପରାହ୍ନ ୧ଟାରେ ଚାଲିବ ଏବଂ ଲୋକସଭା ଅପରାହ୍ନ ୩ଟା ଓ ୭ଟା ମଧ୍ୟରେ ଚାଲିବ । ନିୟମିତ ଭାବେ ସଂସଦ ଭବନକୁ ସାନିଟାଇଜ୍ କରିବା ପାଇଁ ବ୍ୟବସ୍ଥା ହୋଇଥିବା ଜଣାପଡିଛି । ଏଥିପାଇଁ ଡିଆରଡିଓ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।