କନକ ବ୍ୟୁରୋ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇ ବଡ ଦିନ (ଡିସେମ୍ବର୨୫) ପୂର୍ବରୁ ଶେଷ ହୋଇପାରେ । ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ର ସୂଚନା ଆଧାରରେ ଏହି ସୂଚନା ଦେଇଛି ।

Advertisment

ସୂତ୍ର ସୂଚନା ମୁତାବକ ଶୀତକାଳୀନ ଅଧିବେଶନ ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରମ ବିଧାନସଭା ନିର୍ବାଚନ ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବା ପରେ ଏହାର କିଛିଦିନ ମଧ୍ୟରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି ।

ଏହି ଅଧିବେଶନରେ ପ୍ରମୁଖ ଅପରାଧିକ ଆଇନ ବଦଳରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବାର ସମ୍ଭାବନା ରହିଛି । ନିକକଟରେ ଗୃହ ବ୍ୟାପାର ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ୩ଟି ବିଲ୍ ଉପରେ ନିଜର ରିପୋର୍ଟ ଗ୍ରହଣ କରିଛନ୍ତି । ସଂସଦରେ ବିଚାରଧୀନ ଥିବା ଅନ୍ୟ ଏକ ପ୍ରମୁଖ ବିଲ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ନିଯୁକ୍ତି ସହ ଜଡିତ ।

ମୌସୁମୀ ଅଧିବେଶନରେ ଆଗତ ହୋଇଥିବା ଏହି ବିଲକୁ ବିରୋଧୀ ଓ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ବିରୋଧ କରିବାକୁ ସରକାର ଏହାକୁ ପାରିତ କରିବାକୁ ଚାପ ପକାଇପାରି ନଥିଲେ । ଏହି ବିଲ୍ ଜରିଆରେ ସରକାର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର ପାହ୍ୟାକୁ କ୍ୟାବିନେଟ୍ ସଚିବଙ୍କ ସମକକ୍ଷ କରିବାକୁ ଚାହୁଁଛନ୍ତି ।

କହିରଖୁ କି ସଂସଦରେ ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବର ମାସ ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ । ହେଲେ ଏଥର ଅଧିବେଶନକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ ।