ସଂସଦ ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଅଚଳାବସ୍ତା : ରାଜ୍ୟସଭାରୁ ୧୨ ସଦସ୍ୟଙ୍କୁ ନିଲମ୍ବନ ପ୍ରତିବାଦରେ ବିରୋଧୀଙ୍କ କକ୍ଷତ୍ୟାଗ

ଲୋକସଭା ଦିନ ୨ଟା ଯାଏଁ ମୁଲତବି, ସଂସଦ ପରିସର ଗାନ୍ଧୀ ମୂର୍ତି ତଳେ ଧାରଣା

84

କନକ ବ୍ୟୁରୋ : ସ୍ୱାଭାବିକ ହୋଇପାରୁନି ସଂସଦର ଶୀତ ଅଧିବେଶନ । ଆଜି ଦ୍ୱିତୀୟ ଦିନରେ ବି ଜାରି ରହିଛି ବିରୋଧୀଙ୍କ ହଙ୍ଗାମା । ରାଜ୍ୟସଭାରୁ ୧୨ ସଦସ୍ୟଙ୍କ ନିଲମ୍ବନ ପ୍ରତିବାଦରେ ଗର୍ଜିଛନ୍ତି ବିରୋଧୀ । ବେଆଇନ ଭାବେ ୧୨ ଜଣ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିବା ଅଭିଯୋଗ କରି ସେମାନଙ୍କ ନିଲମ୍ବନ ପ୍ରତ୍ୟାହର କରିବାକୁ ଅନୁରୋଧ କରିଥିଲେ ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ । ହେଲେ ଦାବିକୁ ଗ୍ରହଣ କରିନାହାନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

କଂଗ୍ରେସର ସର୍ବାଧିକ ୬, ତୃଣମୂଳ କଂଗ୍ରେସ ଓ ଶିବସେନାର ୨ ଜଣ ଲେଖାଏଁ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ସେହିପରି ସିପିଆଇ ଓ ସିପିଏମର ଜଣେ ଲେଖାଏଁ ସଦସ୍ୟଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ଗତ ଅଗଷ୍ଟ ମାସରେ ମୌସୁମୀ ଅଧିବେଶନରେ ଗୃହର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ଏମାନେ ନିଲମ୍ବିତ ହୋଇଛନ୍ତି । ଲଗାତର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ହିଂସାତ୍ମକ ଆଚରଣ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ନେତାମାନଙ୍କୁ ଶୀତ ଅଧିବେଶନର ସମସ୍ତ କାର୍ଯ୍ୟ ଦିବସରୁ ନିଲମ୍ବିତ କରାଯାଇଛି ।

ସମାନ ପ୍ରସଙ୍ଗରେ ଲୋକସଭାରେ ମଧ୍ୟ ହଙ୍ଗାମା କରିଛନ୍ତି ବିରୋଧୀ । ଆଜି ଦରଦାମ ବୃଦ୍ଧି ପ୍ରସଙ୍ଗରେ ମୂଲତବୀ ଆଲୋଚନା ପାଇଁ ନୋଟିସ ଦେଇଥିଲେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ହେଲେ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ଗତକାଲି ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୧୨ ସଦସ୍ୟଙ୍କ ପ୍ରସଙ୍ଗରେ ହଙ୍ଗାମା କରିଥିଲେ । ଅସାମ୍ବିଧାନିକ ଭାବେ ପୂର୍ବ ଅଧିବେଶନର ଗଣ୍ଡଗୋଳ ପାଇଁ ବର୍ତମାନ ଅଧିବେଶନରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ କରିଥିଲେ । ହେଲେ ଲୋକସଭା ବାଚସ୍ପତି ଓମ ବିର୍ଲା ବିରୋଧୀଙ୍କ ଅଭିଯୋଗକୁ ନଶୁଣିବାରୁ ବିରୋଧୀ କକ୍ଷ୍ୟତ୍ୟାଗ କରିଥିଲେ । କଂଗ୍ରେସ ସମେତ ଡିଏମକେ ଓ ନ୍ୟାସନାଲ କନଫରେନ୍ସ କକ୍ଷ୍ୟତ୍ୟାଗ କରିବାରୁ ଅପରାହ୍ନ ୨ଟା ଯାଏଁ ଲୋକସଭାକୁ ବାତିଲ କରିଥିଲେ ବାଚସ୍ପତି ।

ସେପଟେ ରାଜ୍ୟସଭା ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଛନ୍ତି ବିରୋଧୀ ସଦସ୍ୟ । କଂଗ୍ରେସ, ଟିଏମସି, ଶିବସେନା, ସିପିଆଇ ଓ ସିପିଏମ ସଦସ୍ୟ ନିଲମ୍ବିତ ହୋଇଥିବାବେଳେ ଏହାକୁ ନିନ୍ଦା କରି ପ୍ରାୟ ୧୪ଟି ବିରୋଧୀ ଦଳ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତକାଲି ମଧ୍ୟ ଏମାନେ ସରକାର ଏକପାଖିଆ ଭାବେ କୃଷି ଆଇନ ପ୍ରତ୍ୟାହାର ବିଲ ପାରିତ କରିଥିବା ଅଭିଯୋଗରେ ଧାରଣା ଦେଇଥିଲେ । ସଂସଦରେ ଆଲୋଚନା ନକରି ବିଲ ପାରିତ କରାଇଥିବାରୁ ଏହାକୁ ନିନ୍ଦା କରି ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଥିଲେ ବିରୋଧୀ ଦଳର ସଦସ୍ୟ । ଆଜି ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।