କରୋନା ସଂକଟ ଭିତରେ ବସିବ ସଂସଦର ମୌସୁମୀ ଅଧିବେଶନ: ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ କରିବାକୁ ଯୋଜନା; କେମିତି ରହିବ ସାମାଜିକ ଦୂରତା, ଚାଲିଛି ବିଚାର ବିମର୍ଶ

ସେପଟେ ବିଧାନସଭା ଅଧିବେଶନ ପାଇଁ ଅନ୍ୟ ରାଜ୍ୟ ସହ ଆଲୋଚନା କଲେ ବାଚସ୍ପତି ସୂର୍ଯ୍ୟ ପାତ୍ର

107

କନକ ବ୍ୟୁରୋ: ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ଅଧିବେଶନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଦସ୍ୟ ମାନଙ୍କ ବସିବା ଲାଗି ଗୃହର ମଧ୍ୟଭାଗ ସହିତ ଦର୍ଶକ ଗ୍ୟାଲେରିରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ରାଜ୍ୟସଭା ସଚିବାଳୟର ସୂଚନା ଅନୁସାରେ ୬୦ ଜଣ ସଦସ୍ୟଙ୍କୁ ଗୃହର ମଧ୍ୟ ଭାଗରେ ବସିବାକୁ ଦିଆଯିବ । ୫୧ ଜଣଙ୍କ ପାଇଁ ଗ୍ୟାଲେରିରେ ଓ ୧୩୨ ଜଣଙ୍କୁ ଲୋକସଭା କକ୍ଷରେ ବସିବା ପାଇଁ ବ୍ୟବସ୍ଥା କରାଯାଉଛି । ଲୋକସଭା ସଚିବାଳୟ ପକ୍ଷରୁ ମଧ୍ୟ ସଦସ୍ୟ ମାନଙ୍କ ବସିବା ପାଇଁ ସମାନ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଗୃହରେ ଦଳର ସ୍ଥିତି ଆଧାରରେ ବସିବା ବନ୍ଦୋବସ୍ତ ହେବ । ସାମ୍ବାଦିକ ଓ ଅଫିସରଙ୍କ ପାଇଁ ଉଦ୍ଦିଷ୍ଟ ଗ୍ୟାଲେରିରେ ସର୍ବାଧିକ ୧୫ ଜଣ ବସିବା ପାଇଁ ଅନୁମତି ମିଳିବ ।

ଏପଟେ ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ଗୃହର ସଦସ୍ୟମାନେ କେଉଁଠି ବସିବେ ସେନେଇ ନିଷ୍ପତି ହୋଇନାହିଁ । ବିଧାନସଭା କିମ୍ବା ଲୋକସେବା ଭବନରେ ବସିବେ ସେନେଇ ନିଷ୍ପତି ହେବ । ତେବେ କୋଭିଡ ନିୟମ ଅନୁସାରେ କେମିତି ବିଧାନସଭା ବସିବ ସେନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବିଧାନସଭାର ବାଚସ୍ପତିଙ୍କ ସହ ଆଲୋଚନା କରିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।