କନକ ବ୍ୟୁରୋ : କେନ୍ଦ୍ର ସରକାର ଆସନ୍ତା ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯାହା ୫ ଦିନ ଧରି ଚାଲିବ । କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ମୋଦୀ ସରକାରଙ୍କ ଏହି ନିଷ୍ପତି ପରେ ଅନେକ କଳ୍ପନାଜଳ୍ପନା କରାଯାଉଛି । ଗୁରୁବାର ଏବଂ ଶୁକ୍ରବାର ଦିନ ମୁମ୍ବାଇରେ ବିରୋଧୀ ଦଳ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଏହି ଘୋଷଣା ହୋଇଛି । ସେପ୍ଟେମ୍ବର ୧୮ ରୁ ୨୨ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ୫ଟି ବୈଠକ ହେବ  । ୧୦ରୁ  ଅଧିକ ବିଲ୍ ଆସିବ ତେଣୁ ଏହାକୁ ସ୍ୱତନ୍ତ୍ର ଅଧିବେଶନ ବୋଲି କୁହାଯାଉଛି । କିନ୍ତୁ ଶେଷ ଖବର ସୁଦ୍ଧା ସରକାରୀ ଭାବେ କୌଣସି ଏଜେଣ୍ଡା ଜାରି କରାଯାଇନି । ତେଣୁ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।

Advertisment

ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିିଥିଲେ । ଯାହାକୁ ନେଇ ଦେଶରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ସମାନ କଥା ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ମମତା କହିଛନ୍ତି, ଦେଶର ବିଭିନ୍ନ ହେଲିକପ୍ଟର ବୁକିଂ ସରିଛି । ତେଣୁ ଡିସେମ୍ବର କିମ୍ବା ଜାନୁଆରୀ ବେଳକୁ ନିର୍ବାଚନ ହୋଇପାରେ । ହେଲିକପ୍ଟର ବୁକିଂ କରି ବିରୋଧୀଙ୍କ ପ୍ରଚାରରେ ବାଧା ସୃଷ୍ଟି କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ମମତା କହିଥିଲେ । ଆଉ ଏହି ଚର୍ଚ୍ଚା ଭିତରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି ।

ଯଦିଓ ମୌସୁମୀ ଅଧିବେଶନ ସଂସଦର ପୁରୁଣା କୋଠାରେ ବସିଥିଲା ଏଥର କିନ୍ତୁ ନୂଆ ସଂସଦ ଭବନରେ ଅଧିବେଶନ ବସିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଭାରତ ସରକାର ଏହି ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ଭାବରେ ପାଳନ କରୁଛନ୍ତି । ଯେଉଁଥିରେ ଦେଶର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ଡକାଇଥିବା ଚର୍ଚ୍ଚା ହେଉଛି । ଆଉ ଏହି ସମୟରେ ଜମ୍ମୁକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦିଆଯିବ ବୋଲି କୁହାଯାଉଛି । କାରଣ ସୁପ୍ରିମକୋର୍ଟରେ ସରକାର କହିଛନ୍ତି, ବିଧାନସଭା ନିର୍ବାଚନ ଖୁବଶୀଘ୍ର ହେବ କିନ୍ତୁ କେବେ ରାଜ୍ୟର ମାନ୍ୟତା ଦିଆଯିବ ବୋଲି ସ୍ପଷ୍ଟ କରି ନାହାନ୍ତି । ତେଣୁ ସ୍ୱତନ୍ତ୍ର ଅଧିବେଶନ ଜରିଆରେ ଉପହାର ଦେଇପାରନ୍ତି ।

ଚଳିତ ବର୍ଷ ଶେଷ ଆଡକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଏହାପୂର୍ବରୁ କିନ୍ତୁ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଶାସକ ଦଳ ପ୍ରତି ସେଭଳି କୌଣସି ଗୋଟିଏ ସୁହାଇଲା ଭଳି ମାହୋଲ ନାହିଁ ବୋଲି ବିଭିନ୍ନ ସର୍ଭେ ରିପୋର୍ଟରୁ ଜଣାପଡିଛି । ତେଣୁ ଏବେ ଜନମତକୁ ନିଜ ଆଡକୁ ଆଣିବାକୁ ମୋଦୀ ସରକାର ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ବିଭିନ୍ନ ଦର ବୃଦ୍ଧିକୁ ରୋକିବାକୁ ପଦକ୍ଷେପ ନେଇଛନ୍ତି । ଏହି କ୍ରମରେ ଆଗାମୀ ଦିନରେ ଅନ୍ୟ ସବୁ ଦରକୁ ନିୟନ୍ତ୍ରଣ କରିବାକୁ ମୋଦୀ ସରକାର ନୂଆ ବିଲ୍ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଜି-୨୦ ବୈଠକ ଶେଷ ହେବା ପରେ ଆରମ୍ଭ ହେବାକୁ ଯାଉଛି ସ୍ୱତନ୍ତ୍ର ଅଧିବେଶନ । ଏହି ସମୟରେ ଅନେକ ବିଦେଶୀ ପୁଞ୍ଜି ନିବେଶ ସହ ବିଭିନ୍ନ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ହେବାର ଅଛି । ଏପରି ସ୍ଥିତିରେ ନୂଆ ବିଲ୍ ଆଣି ନିବେଶ ପ୍ରକ୍ରିୟା ସହଜ କରାଯାଇପାରେ ।