ନିର୍ମାଣ ହେବ ଗଣତନ୍ତ୍ରର ନୂଆ ମନ୍ଦିର: ୬ ହଜାର ୫ ଶହ ବର୍ଗମିଟରରେ ଖର୍ଚ୍ଚ ହେବ ୯ ଶହ ୭୧ କୋଟି ଟଙ୍କା; ସାସଂଦଙ୍କୁ ମିଳିବ ଡିଜିଟାଲ ସୁବିଧା

୧୦ ତାରିଖରେ ପ୍ରଧାନମନ୍ତ୍ରୀ କରିବେ ଶିଳାନ୍ୟାସ

396

କନକ ବ୍ୟୁରୋ: ନିର୍ମାଣ ହେବ ନୂଆ ସଂସଦ ଭବନ । ନୂଆ ସଂସଦ ଭବନ ପାଇଁ ଆସନ୍ତା ୧୦ତାରିଖରେ ଭିତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ଚଳିତ ମାସ ହିଁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରେ । ତେବେ ନୂଆ ସଂସଦ ଭବନକୁ ପେପରଲେସ୍ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ପ୍ରତ୍ୟେକ ସାଂସଦଙ୍କୁ ଡିଜିଟାଲ ସୁବିଧା ଯୋଗାଇ ଦିଆଯିବ । ନୂଆ ସଂସଦ ଭବନ ନିର୍ମାଣ ପ୍ରସ୍ତୁତିକୁ ନେଇ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ସଂସଦର ଉଭୟ ଗୃହ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ନୂଆ ସଂସଦ ବିଲଣ୍ଡିଂରେ ଲୋକସଭା ସଦସ୍ୟଙ୍କ ପାଇଁ ୮୮୮ଟି ସିଟ ଓ ରାଜ୍ୟସଭା ସଦସ୍ୟଙ୍କ ପାଇଁ ୩୨୬ରୁ ଅଧିକ ସିଟର ବ୍ୟବସ୍ଥା ହେବ ।

ନୂଆ ସଂସଦ ଗୃହ ତ୍ରିକୋଣୀୟ ହେବ ଏବଂ ବସିବା କ୍ଷମତା ଦୃଷ୍ଟିରୁ ବର୍ତମାନର ସଂସଦଠାରୁ ବଡ ହେବ । ବର୍ତମାନ ଥିବା ସଂସଦ ନିକଟରେ ନୂଆ ସଂସଦ ଭବନ ନିର୍ମାଣ କରାଯିବ । ୬୪ହଜାର ୫ଶହ ବର୍ଗ ମିଟର ଅଂଚଳରେ ନିର୍ମାଣ ହେବ ଏହି ବିଲଣ୍ଡି । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୯୭୧କୋଟି ଟଙ୍କା । ଏହି ନିର୍ମାଣ କାର୍ଯ୍ୟ ପାଇଁ ଟାଟା ପ୍ରୋଜେକ୍ଟସକୁ ଠିକା ଦିଆଯାଇଛି । ଏଚସିପି ଡିଜାଇନ, ପ୍ଲାନିଂ ଓ ମ୍ୟାନେଜମେଂଟ ପ୍ରାଇଭଟେ ଲିମିଟେଡ ଏହାର ନକ୍ସା ପ୍ରସ୍ତୁତ କରିଛି । ଆତ୍ମନିର୍ଭର ଭାରତର ମନ୍ଦିର ଭାବେ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରିବ । ଡିସେମ୍ବର ୧୦ତାରିଖ ଦିନ ୧ଟା ବେଳେ ଏହାର ଭୂମିପୁଜା କରିବେ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ଭବନଟି ପୁରୁଣା ସଂସଦ ଭବନ ଠାରୁ ୧୭ହଜାର ବର୍ଗ ମିଟର ବଡ । ଲୋକସଭା ଓ ରାଜ୍ୟସଭା ବ୍ୟତିତ ନୂଆ ଭବନରେ ଏକ ସମ୍ବିଧାନ କୋଠା ମଧ୍ୟ ରହିବ । ଏଠାରେ ଭାରତର ଗଣତନ୍ତ୍ରର ଝଲକ ଦେଖିବାକୁ ମିଳିବ ।

ନୂଆ ସଂସଦ ଭବନକୁ ଅତ୍ୟନ୍ତ ଭବ୍ୟ ଓ ସ୍ୱତନ୍ତ୍ର ଭାବେ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ସହ ପେପରଲେସ ବ୍ୟବସ୍ଥା ପାଇଁ ଅନ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବସ୍ଥା କରାଯିବ । ଏହି ନୂଆ ଭବନରେ ସାମ୍ବିଧାନିକ ହଲ, ଲନ୍, ମଲ୍ଟି କମିଟି ରୁମ୍, ଡାଇନିଂ ହଲ୍, ପାର୍କିଂ ଓ ଲାଇବ୍ରେରୀର ସୁବିଧା ମଧ୍ୟ ରହିବ । ପୁରୁଣା ସଂସଦ ଭବନରେ ଥିବା ୫ଜଣ ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତି ନୂଆ ବିଲଣ୍ଡିରେ ସ୍ଥାପନ କରାଯିବ । ନୂଆ ସାଂସଦ ଭବନର ନିର୍ମାଣ କାର୍ଯ୍ୟକୁ ଅକ୍ଟୋବର ୨୦୨୨ପର୍ଯ୍ୟନ୍ତ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।