କନକ ବ୍ୟୁରୋ : ସଂସଦ ଆକ୍ରମଣ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ନୀଲମ ଆଜାଦଙ୍କୁ କୋର୍ଟ ବଡ ଝଟକା ଦେଇଛନ୍ତି । ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ନୀଲମ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତାଙ୍କ ଟିପ୍ପଣୀରେ କହିଛନ୍ତି ଯେ ମାମଲାର ତୁରନ୍ତ ଶୁଣାଣି ନେଇ କୌଣସି ଆବଶ୍ୟକତା ନାହିଁ । ପ୍ରଥମରୁ ଯେଉଁ ଜାନୁଆରୀ ୩ ତାରିଖରେ ଶୁଣାଣି ଧାର୍ଯ୍ୟ କରାଯାଇଛି ସେହିଦିନ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ନୀଲମ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି କି, ତାଙ୍କୁ ପୋଲିସ ହେପାଜତରେ ରଖାଯିବା ବେଆଇନ, କାରଣ ତାଙ୍କ ମାମଲାରେ ତାଙ୍କ ପସନ୍ଦର ଓକିଲଙ୍କ ଠାରୁ ପରାମର୍ଶ ନେବାକୁ ପୋଲିସ ଅନୁମତି ଦେଉନଥିବା ସେ ଅଭିଯୋଗ କରିଛନ୍ତି ।
ନୀଲମଙ୍କୁ ହାଇକୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦେବା ପାଇଁ ହେବିୟସ କର୍ପସର ରିଟ୍ ଜାରି କରିବା ସହ ତାଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଥିଲା । ଆବେଦନରେ ନୀଲମ ଆଜାଦ କହିଛନ୍ତି ଯେ, ତାଙ୍କୁ ନିଜ ପସନ୍ଦର ଓକିଲଙ୍କ ସହ ପରାମର୍ଶ କରିବାକୁ ଅନୁମତି ନଦେବା ସମ୍ବିଧାନ ମୁତାବକ ତାଙ୍କ ମୌଳିକ ଅଧିôକାରର ଉଲଂଘନ ଏବଂ ଅଟକ ଆଦେଶ ବେଆଇନ । ନିମ୍ନ ଅଦାଲତ ତାଙ୍କୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି ।
ସୂଚନା ଥାଉକି ୨୦୦୧ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ବଡ ଆକ୍ରମଣ ହୋଇଥିଲା । ୨୦୨୩ ମସିହା ସମାନ ତାରିଖରେ ପୁଣି ସଂସଦର କଡା ସୁରକ୍ଷାକୁ ଭେଦ କରି ସାଗର ଶର୍ମା ଓ ମନୋରଞ୍ଜନ ଡି ନାମକ ଦୁଇଜଣ ଯୁବକ ସଂସଦ ଭିତରେ ପ୍ରବେଶ କରିଥିଲେ । ସେଠାରେ ସେମାନେ ସ୍ଲୋଗାନ ଦେବା ସହ ଗ୍ୟାସ ଛାଡିଥିଲେ । ସେପଟେ ସମାନ ସମୟରେ ନୀଲମ ଆଜାଦ ଓ ଅମୋଲ ସିନ୍ଦେ ସଂସଦ ଭବନ ପରିସର ବାହାରେ ରଙ୍ଗୀନ ଗ୍ୟାସ ଛାଡି ଏକଛତ୍ରବାଦ ଚାଲିବ ନାହିଁ ବୋଲି ନାରା ଦେଇଥିବା ଅଭିଯୋଗ ହୋଇଥିଲା ।