କନକ ବ୍ୟୁରୋ : ଫେବ୍ରୁଆରୀ ପହିଲାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଏଥିପାଇଁ ଆଜି ବସୁଛି ସର୍ବଦଳୀୟ ବୈଠକ । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୩ଟାରେ ବୈଠକ ବସିବାକୁ ଯାଉଛି । ଏଥିରେ ସମସ୍ତ ରାଜନୈତିକ ଦଳର ଲୋକସଭାରେ ସଂସଦୀୟ ଦଳ ନେତା ଯୋଗଦେବେ । ଆଗାମୀ ଅଧିବେଶନ କିଭଳି ସୁରୁଖୁରୁରେ ଚାଲିବ ସେନେଇ ବୈଠକରେ ଆଲୋଚନା ହେବ । ସେହିପରି ଅପରାହ୍ନ ୫ଟାରେ ବସିବ ରାଜ୍ୟସଭାରେ ସଂସଦୀୟ ଦଳ ନୋତାଙ୍କ ବୈଠକ । ଏଥିରେ ଭର୍ଚୁଆଲ ମୋଡରେ ଅଧ୍ୟକ୍ଷତା କରିବେ ଏମ. ଭେଙ୍କେୟା ନାଇଡୁ । କୋରନା କଟକଣା ଭିତରେ ବସିବ ସଂସଦର ବଜେଟ ଅଧିବେଶନ ।

Advertisment

ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବେ । ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବ । ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବଜେଟ୍ ବ୍ରିଫକେସ ପରେ ବହି ଖାତା ହୋଇଥିବାବେଳେ ଗତବର୍ଷଠାରୁ ଗ୍ରୀନ ବଜେଟ୍ ଉପସ୍ଥାପନ ହେଉଛି । ଅର୍ଥାତ ‘ୟୁନିଅନ ବଜେଟ୍ ମୋବାଇଲ ଆପ’ରେ ଉପଲବ୍ଧ ହେବ ଚଳିତଥରର ବଜେଟ୍ । କରୋନା କଟକଣା ଯୋଗୁଁ ଏଥର ପାରମ୍ପରିକ ‘ହଲୱା ସେରିମନି’ ପରିବର୍ତେ ବଜେଟ୍ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀଙ୍କୁ ମିଠା ବଂଟା ଯାଇଛି । ସଂସଦର ନର୍ଥବ୍ଲକରେ ଅଧିକାରୀମାନଙ୍କୁ ବଜେଟ୍ ପ୍ରସ୍ତୁତି ଶେଷ ହେବା ଯାଏଁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରି ରଖାଯାଇଛି ।