କୋଭିଡ୍ କଟକଣା ଭିତରେ ସଂସଦର ମୌସୁମୀ ଅଧିବେଶନ: ପ୍ରଧାନମନ୍ତ୍ରୀ କହିଲେ, କରୋନା ସହ ପାଳନ କରିବାକୁ ପଡିବ କର୍ତ୍ତବ୍ୟ; ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

123

କନକ ବ୍ୟୁରୋ:  କୋଭିଡ କଟକଣା ଭିତରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କରୋନା ସହ ପାଳନ କରିବାକୁ ପଡିବ କର୍ତବ୍ୟ । ଏଥିସହ ପୂରା ସଦନ ସୀମାରେ ନିୟୋଜିତ ସେନା ସହ ଛିଡା ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

 

କରୋନା ମହାମାରୀ ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ୧୮ ଦିନ ଧରି କ୍ରମାଗତ ଭାବେ ଚାଲିବ ଗୃହକାର୍ଯ୍ୟ । କୌଣସି ଛୁଟି ଦିବସ ରହିବ ନାହିଁ । ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଅଧିବେଶନ ବସିବ । ଏଥିରେ ୧୧ଟି ଅଧ୍ୟାଦେଶ ସହ ୪୫ଟି ବିଲ୍ ଆସିବା ସମ୍ଭାବନା ରହିଛି । କରୋନା ମହାମାରୀ ଯୋଗୁଁ ଗୃହକାର୍ଯ୍ୟକୁ କାଟଛାଂଟ କରାଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦିନକୁ ମାତ୍ର ୪ ଘଂଟା ପାଇଁ ଚାଲିବ । ଶୂନ୍ୟକାଳ ରହିବ କିନ୍ତୁ ପ୍ରଶ୍ନକାଳକୁ ବାତିଲ କରାଯିବ । କରୋନା ଭାଇରସ ଯେପରି ନ ବ୍ୟାପିବ ସେଥିପାଇଁ ଦୁଇ ସଦନରେ ବ୍ୟାପକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିବେଶନ ପୂର୍ବରୁ ପାରମ୍ପରିକ ଭାବେ ହେଉଥିବା ସର୍ବଦଳୀୟ ବୈଠକକୁ ଏଥର ବାତିଲ କରାଯାଇଛି ।

ତେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜିନେସ୍ ଆଡଭାଇଜରୀ କମିଟି ବୈଠକ ଡାକିଥିଲେ । ସଂସଦର ଏଜେଣ୍ଡା ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧ ଦଳର ସାଂସଦମାନେ ଆପତି ଉଠାଇଥିଲେ । ସେହିପରି ଭାରତ-ଚୀନ ସୀମା ବିବାଦ, ଦେଶର ଅର୍ଥନୀତି ଓ କରୋନା ମହାମାରୀ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ ଦଳ । ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା କହିଛନ୍ତି ବାଚସ୍ପତି । ଲୋକସଭା ଓ ରାଜ୍ୟସଭା ପାଇଁ ଅଲଗା ଅଲଗା ସିଫ୍ଟ କରାଯାଇଛି ।

ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ଏବଂ ବାକି ଦିନଗୁଡିକରେ ଅପରାହ୍ଣ ୩ଟାରୁ ସଂଧ୍ୟା ୭ ଟା ଯାଏଁ ଚାଲିବ ଲୋକସଭା । ସେହିପରି ରାଜ୍ୟସଭା ପ୍ରଥମ ଦିନରେ ଅପରାହ୍ଣ ୩ଟାରୁ ସଂଧ୍ୟା ୭ ଟା ଯାଏଁ ଚାଲିବ ଏବଂ ବାକି ଦିନଗୁଡିକରେ ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ । ଏନଡିଏ ପକ୍ଷରୁ ଜେଡିୟୁରୁ ହରିବଂଶ ପ୍ରସାଦ ସିଂ ପ୍ରାର୍ଥୀ ହୋଇଥିବାବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ଆରଜେଡିରୁ ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି ।