କନକ ବ୍ୟୁରୋ: ସଂସଦର ବଜେଟ୍ ଅଧିବେଶନ ଉପରେ ଏବେ ବିପଦ ସାଜିଛି ଓମିକ୍ରନ୍ । ଫେବୃଆରୀ ୧ ତାରିଖରେ ଦେଶର ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବାକୁ ଥିବାବେଳେ, ଏବେ ସଂସଦର ଅନେକ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ରାଜ୍ୟସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତି ଉପରେ ମଧ୍ୟ କଟକଣା ଲଗାଇ ଦିଆଯାଇଛି ।ଅଣ୍ଡର ସେକ୍ରେଟାରୀ, ଏକ୍ସକୁଟିଭ୍ ଅଫିସର ଶ୍ରେଣୀରୁ ନିମ୍ନ ବର୍ଗର ଅଧିକାରୀଙ୍କୁ ଏବେ ସଂସଦ ଆସିବାକୁ କଟକଣା ଜାରି କରାଯାଇଛି । ଏହି ବର୍ଗର କେବଳ ୫୦ ପ୍ରତିଶତ କର୍ମଚାରୀ ରାଜ୍ୟସଭା ସଚିବାଳୟ ଆସି କାମ କରିପାରିବେ, ବାକି ୫୦ ପ୍ରତିଶତ କର୍ମଚାରୀ ଘରୁ ରହି କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ସୂଚନା ମୁତାବକ, ସଂସଦରେ କାମ କରୁଥିବା କର୍ମଚାରୀ, ସୁରକ୍ଷାକର୍ମୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା, ଯେଉଁଥିରେ ୪୦୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଏବେ ସଂସଦରେ ହେବାକୁ ଥିବା ଆଗାମୀ ବଜେଟ୍ ଅଧିବେଶନକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
କୁହାଯାଉଛି, ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ଏନେଇ ମହାସଚିବ ପିସି ମୋଦୀ ଏବଂ ଆଡଭାଇଜର ଡ.ପିପିକେ ରାମଚର୍ଲୁୟୁଙ୍କ ସହିତ ବୈଠକ କରୁଛନ୍ତି । ତେବେ ଆଗାମୀ ବଜେଟ୍ ଅଧିବେଶକୁ ଆଖି ଆଗରେ ରଖି କିଛି ଶକ୍ତ କଟକଣା ଲାଗୁ ହୋଇପାରେ । କୁହାଯାଉଛି ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯିବ । ତା ସହିତ ଅଫିସରେ ଯେଭଳି ଭିଡ ନହୁଏ ସେଥିପାଇଁ ଅଲଗା ଅଲଗା ଶିଫ୍ଟରେ କାମ ହୋଇପାରେ ବୋଲି ସୂଚନା ମିଳୁଛି ।
ସୂଚନାଯୋଗ୍ୟ ଯେ,ରାଜ୍ୟସଭା ସଚିବାଳୟର ୬୫, ଲୋକସଭା ସଚିବାଳୟର ୨୦ ଏବଂ ୧୩୩ ଅନ୍ୟ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ଦେଖି ଏବେ ସଂସଦର ସଚିବାଳୟରେ ଏହିଭଳି ସବୁ କଟକଣା ଲାଗୁ ହୋଇଛି ।