ହଙ୍ଗାମା ପାଇଁ ବନ୍ଦ ରହିଲା ସଂସଦ। ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ପ୍ରତିବାଦ।

64

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଶୁକ୍ରବାର ସଂସଦ ଭବନ ପରିସରରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । କଥିତ ଭାବେ କିଛି ସାଂସଦଙ୍କ ମାଇକ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଏହିଭଳି ସ୍ଥିତିରେ ବିନା ଚର୍ଚ୍ଚାରେ ମାତ୍ର ୧୫ ମିନିଟ ମଧ୍ୟରେ ଗୃହକୁ ସୋମବାର ଯାଏ ସ୍ଥଗିତ କରିଦିଆଯାଇଛି । ବିରୋଧୀ ଆଦାନୀ ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ଦାବି କରିଆସୁଥିଲେ । ତେବେ ବିରୋଧୀ ସାଂସଦଙ୍କୁ କହିବାକୁ ସୁଯୋଗ ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି କାରଣ ପାଇଁ ସଂସଦ ଟିଭିର ପ୍ରସାରଣକୁ ମଧ୍ୟ ବନ୍ଦ କରିବା ସ୍ଥିତି ଦେଖାଦେଇଥିଲା । ବର୍ତ୍ତମାନ ତମାମ ବିରୋଧୀ ଦଳର ନେତା ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି । ବିରୋଧ ପ୍ରଦର୍ଶନ କରୁଥିବା ନେତାଙ୍କ ମଧ୍ୟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦ ମାନେ ସାମିଲ ରହିଛନ୍ତି ।