ବିହାରରେ ପାର୍ଲେଜି ଗୁଜବ: ବିସ୍କୁଟ କିଣିବାକୁ ଧସ୍ତାଧସ୍ତି

2,263

କନକ ବ୍ୟୁରୋ: ପୁଅମାନଙ୍କୁ ପାର୍ଲେଜି ବିସ୍କୁଟ ଖାଇବାକୁ ଦିଅ ।ନହେଲେ ପରିଣାମ ଭୋଗିବାକୁ ପଡିବ । ଏହି ଗୁଜବ ଚାରିଆଡେ ଖେଳିଯିବା ପରେ ତେଜରାତି ଦୋକନ ଆଗରେ ନାହିଁ ନଥିବା ଭିଡ । ଗୁରୁବାର ଏଭଳି ଅଡୁଆ ପରିସ୍ଥିତି ଦେଖିବାକୁ ମିଳିଛି ବିହାରର ସୀତାମଢି ଜିଲ୍ଲାରେ ।

 

ଆମ ସମାଜ ଶିକ୍ଷିତ , ସଭ୍ୟ ହୋଇଛି ବୋଲି କୁହାଯାଉଛି । ତଥାପି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଓ କୌଣସି ଗୁଜବରେ ପ୍ରଭାବିତ ହେବା ଭଳି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଗୁରୁବାର ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୁରୁବାର ଦ୍ୱିତିୟା ଓଷା ଥିବା ଅବସରରେ ମହିଳାମାନେ ସନ୍ତାନସନ୍ତତିଙ୍କ ପାଇଁ ପୂଜା କରିଥିଲେ । ଏହି ସମୟରେ ଗୁଜବ ଉଠିଲା । ଘରେ ଯେତେ ପୁଅ ଅଛନ୍ତି ସେମାନଙ୍କୁ ପାର୍ଲେ-ଜି ବିସ୍କୁଟ ଖାଇବାକୁ ଦିଅ । ନହେଲେ ଭୀଷଣ ପରିସ୍ଥିତି ସୃଷ୍ଟି ହେବ । ଏ ଗୁଜବ କେଉଁଠୁ ସୃଷ୍ଟି ହେଲା କିଏ ସୃଷ୍ଟି କଲା ସେକଥା ଜଣାନାହିଁ । ହେଲେ ଚାହୁଁ ଚାହୁଁ ଏହି ଗୁଜବ ଚାରିଆଡେ ବିଜୁଳି ଭଳି ଖେଳିଗଲା । ଆଉ ଗ୍ରୋସରି ଦୋକାନ ଗୁଡିକ ଆଗରେ ଲୋକଙ୍କ ଭିଡ କହିଲେ ନସରେ । ସମସ୍ତଙ୍କର ସେ ଗୋଟିଏ ଜିନିଷ ଆବଶ୍ୟକ , ପାର୍ଲେ-ଜି ବିସ୍କୁଟ । କିଛି ମାତ୍ର ମିନିଟରେ ଦୋକାନ ଗୁଡିକରୁ ବିସ୍କୁଟ ଖାଲି । ଏଥିପାଇଁ ଧସ୍ତାଧସ୍ତି ପରି ପରିସ୍ଥିତି ମଧ୍ୟ ଦେଖାଯାଇଥିଲା ।

 

ସୂଚନା ମୁତାବକ, ଗୁଜବର ପ୍ରଭାବ ଏତେ ଭୟଙ୍କର ଥିଲା ଯେ, କିଛି ମାତ୍ର ମିନିଟରେ ସେଠାରେ ଥିବା ସବୁ ଦୋକାନରୁ ପାର୍ଲେ-ଜି ବିସ୍କୁଟ ଶେଷ ହୋଇଯାଇଥିଲା । ସୀତାମଢି ଜିଲ୍ଲାର ବୈରଙ୍ଗନିୟା, ଢେଙ୍ଗ, ନାନପୁର, ଡୁମରା, ବାଜପଟ୍ଟି, ମେଜରଗଙ୍ଗ ସମେତ ଅନ୍ୟ କିଛି ଇଲାକାରେ ଏହାର ଭାରି ପ୍ରଭାବ ଦେଖିବାକୁ ମିଳିଥିଲା ।ବିସ୍କୁଟ କିଣିବାକୁ ଲୋକଙ୍କ ଭିତରେ ମାରପିଟ ଯାଏଁ କଥା ଯାଇଥିଲେ ବି ବ୍ୟବସାୟୀ କିନ୍ତୁ ମାଲାମାଲ ହୋଇଥିଲେ ।