ଖୋଲିଲା ପାର୍କ ଓ ମଲ : ୫ରୁ ଖୋଲିବ ସିନେମା ହଲ; ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ସାସ୍କୃତିକ କାର୍ଯ୍ୟକ୍ରମ ବାରଣ ଥିବାରୁ ବଢିଲା ଦ୍ୱନ୍ଦ୍ୱ

134

କନକ ବ୍ୟୁରୋ : ଦୀର୍ଘ ଦିନ ପରେ ରାଜଧାନୀରେ ପାର୍କ ସବୁ ଖୋଲିଛି । କିନ୍ତୁ ବହୁ ପାର୍କରେ ଅସଜଡ଼ା ହୋଇ ପଡ଼ିଥିବା ଭିତ୍ତିଭୂମି ରାଜଧାନୀବାସୀଙ୍କୁ ହତାଶ କରିଛି । ପାର୍କରେ ବଢ଼ି ଯାଇଥିବା ଘାସ, ଲତା ଓ ଉଇ ହୁଙ୍କା ଭ୍ରମଣ କରିବାକୁ ଯାଉଥିବା ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି । ବହୁ ପାର୍କର ପଥର ମୂର୍ତ୍ତି ଭାଙ୍ଗି ପଡ଼ିଥିବା ବେଳେ ଜଙ୍ଗଲିଆ ହୋଇ ପଡ଼ିଥିବା ପାର୍କ ସବୁ ଶ୍ରୀହୀନ ଦେଖାଯାଉଛି । ତେଣୁ ପ୍ରଥମ ଦିନରେ କୌଣସି ପାର୍କରେ ଭିଡ଼ ଜମି ନାହିଁ । ସେହିଭଳି ଏବେ ବି କରୋନା ସଂକ୍ରମଣ ଭୟ ଥିବାରୁ ବେଶି ଲୋକ ପାର୍କ ଯାଇନଥିବା ଜଣାପଡ଼ିଛି । ଗତକାଲିଠୁ ରାଜଧାନୀର ବହୁ ମଲ୍‌ ଖୋଲିଥିଲା ଓ ମଲ୍‌ମାନଙ୍କରେ ଭିଡ଼ ମଧ୍ୟ ପରିଲକ୍ଷିତ ହୋଇଥିଲା ।

ଅନ୍ୟପକ୍ଷରେ ୫ ତାରିଖରୁ ରାଜଧାନୀରେ ଫିଲ୍ମ ହଲ୍ ଖୋଲୁଥିବା ସୂଚନା ମିଳିଛି । ଦୀର୍ଘ ତିନି ମାସ ପରେ ଫିଲ୍ମ ହଲ୍‌ ଖୋଲିବ । ହଲ୍‌ ମାଲିକମାନେ ଭିତ୍ତିଭୂମି ପ୍ରସ୍ତୁତ କରି ରଖିଛନ୍ତି । ୫ ତାରିଖରେ ଶ୍ରୀୟା ହଲ୍‌ ଖୋଲିବାକୁ ଯୋଜନା ଥିବା ସୂଚନା ଦେଇଛନ୍ତି ମ୍ୟାନେଜର ରବି ସାହୁ । ସେହିଭଳି କେଶରୀ ହଲ୍‌ ମଧ୍ୟ ଖୋଲିବ ବୋଲି ସୂଚନା ମିଳିଛି । କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ୫୦ ପ୍ରତିଶତ ସିଟ୍‌ରେ ଦର୍ଶକଙ୍କୁ ବସିବାକୁ ସୁଯୋଗ ମିଳିବ। ନୂଆ ହିନ୍ଦୀ ଫିଲ୍ମ ରିଲିଜ୍‌ ହେବାକୁ ନଥିବାରୁ ନୂଆ ଇଂରାଜୀ ଫିଲ୍ମ ପ୍ରଦର୍ଶିତ ହେବ। କିନ୍ତୁ ପ୍ରେକ୍ଷାଳୟ ଖୋଲିବା ନେଇ ଦ୍ବନ୍ଦ୍ବ ଉପୁଜିଛି । ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଥି‌ଲେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଏଣୁ ଏଭଳି ଦ୍ବନ୍ଦ୍ବକୁ ନେଇ ସଂସ୍କୃତି ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଛି ।