କନକ ବ୍ୟୁରୋ : ବାରବାଟୀରେ ଆଜି ହେବ ବିଗ୍ ଫାଇଟ । ମ୍ୟାଚ୍ ଜିତିବାକୁ ମୈଦାନକୁ ଓହ୍ଲାଇବେ ଭାରତ-ଦକ୍ଷିଣ ଆଫ୍ରିକା । ହଜାର ହଜାର ଦର୍ଶକଙ୍କ ଗହଣରେ ଖେଳାଯିବ ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ । ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ । ତେବେ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକ, ଭିଆଇପି ଓ ଅତିଥିଙ୍କ ପାଇଁ ପ୍ରଶାସନ ପକ୍ଷରୁ ୫ଟି ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି । ସାଧାରଣ ଦର୍ଶକଙ୍କ ପାଇଁ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ବ୍ୟବସ୍ଥା କରାଯାଇଛି । ଓସିଏ ସଦସ୍ୟ ଓ ଅନ୍ୟାନ୍ୟ ଅତିଥିଙ୍କ ପାଇଁ ଓଡ଼ିଶା କ୍ରିକେଟ ଏକାଡେମୀରେ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ୍ ପରିସରରେ, ବିସିସିଆଇ ଅଫିସିଆଲ, ମ୍ୟାଚ ରେଫରି, ଅମ୍ପାୟାର, ଖେଳାଳି, ଓସିଏ ଅଧିକାରୀ, ଅତିଥିମାନେ ସେଣ୍ଟ ଜାଭିୟର୍ସ ସ୍କୁଲ୍ ପରିସରରେ ପାର୍କିଂ କରିପାରିବେ । ସେହିପରି ବିଚାରପତି, ଟିଭି କ୍ରିଉଙ୍କ ପାଇଁ ହର୍ଷ ଗେଟ୍ ସମ୍ମୁଖରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି ।
ଏହାବାଦ୍ ବାରବାଟୀକୁ ମ୍ୟାଚ୍ ଦେଖିବାକୁ ଆସୁଥିବା ଦର୍ଶକମାନେ ସାଙ୍ଗରେ କିଛି ସାମଗ୍ରୀ ଆଣିବାକୁ ବାରଣ କରାଯାଇଛି । ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।