ବିଡିଓଙ୍କ ପରିଶ୍ରମ ପରେ ବଦଳିଗଲା ବ୍ଲକ ଅଫିସର ପୂରା ଚିତ୍ର । ଅପନ୍ତରା ଜାଗାରେ ଗଢିଦେଲେ ଆକର୍ଷଣୀୟ ପାର୍କ । ନିଜେ ହଳ କଲେ, କୋଦାଳ ଧରି ମାଟି ହାଣିଲେ ।

470

କନକ ବ୍ୟୁରୋ: ବିଡିଓଙ୍କ ଦେଶୀ ଅନ୍ଦାଜ । ପାୱାର ଟିଲଟ ଧରିଲେ, ହଳ ବୁଲାଇଲେ । ସିଟରେ ବସିଥିଲେ ମୁଁ ବିଡିଓ, ସିଟରେ ନଥିଲେ ସାଧାରଣ ଲୋକ । ଗଛ ମୋ ଜୀବନ, ପ୍ରକୃତି ମୋ ପ୍ରାଣ । ହାତରେ କୋଦାଳ ଧରି ମାଟି ହାଣୁଛନ୍ତି, ନିଜେ ପାୱାର ଟିଲର ଚଲାଇ ହଳ କରୁଛନ୍ତି । ବ୍ଲକ ପରିସରକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ନିଜ ହାତରେ ବଗିଚା ଗଢୁଛନ୍ତି ବିଡିଓ । ସୁଟବୁଟ ନୁହେଁ ବରଂ ସାରଧାଣ ମଣିଷ ଭଳି ସେ ପାର୍କ ତିଆରିରେ ଲାଗିପଡିଛନ୍ତି । ଯାହା ତାଙ୍କ ପ୍ରକୃତିପ୍ରେମର ପରିଚୟ ଦେଇଛି ।

ଯାଜପୁର ରସୁଲପୁର ବ୍ଲକର ବିଡିଓ ଉମାକାନ୍ତ ପରିଡା । ଗଛ ଲଗାଇବା,ବଗିଚା ତିଆରି କରିବା ତାଙ୍କର ରୁଚି । ନିଜର ନିଷ୍ଠାପର ଉଦ୍ୟମରେ ସରକାରୀ ଅର୍ଥର ସଠିକ ବିନିଯୋଗ କରି ଏବେ ସେ ବ୍ଲକ ପରିସରକୁ କରିପାରିଛନ୍ତି ସବୁଜିମାମୟ । ଦିନେ ଯେଉଁ ଜାଗା ଅପନ୍ତରା, ଅବ୍ୟବହୃତ ହୋଇ ପଡିଥିଲା ସେଠି ବିଡିଓ ନିଜ ହାତରେ ଗଢିଛନ୍ତି ସୁନ୍ଦର ପାର୍କ । ନିଜେ ଝାଳ ବୁହାଇ, ଶ୍ରମଦାନ କରି ସବୁଦିନ ସକାଳେ ୨ ଘଣ୍ଟା ବ୍ଲକ ପରିସରରେ ଯାବତୀୟ କାମ କରି ପାର୍କକୁ ଆକର୍ଷଣୀୟ କରିଛନ୍ତି । ଯେଉଁଠି କି ଆସୁଥିବା ଲୋକଟିଏ ଘଡିଏ ଅଟକି ଯିବ ନିଶ୍ଚୟ ।

ତେବେ ବ୍ଲକ ପରିସର ସୁନ୍ଦର କରିବା ସହ ଅନେକ ଲୋକଙ୍କୁ ରୋଜଗାର ବି ଦେଇଛନ୍ତି ବିଡିଓ ଉମାକାନ୍ତ । ଲକଡାଉନ ପାଇଁ ଶ୍ରମିକ କାମ ପାଉନଥିବା ବେଳେ ପେଟ ପୋଷିବାକୁ ଦହଗଞ୍ଜ ହେଉଛି । ଆଉ ଏତିକି ବେଳେ ବିଡିଓ ସେମାନଙ୍କ ହାତକୁ ଦେଇପାରିଛନ୍ତି କାମ । ସରକାରଙ୍କ ମନରେଗା ଯୋଜନାରେ ୮ଲକ୍ଷ ଟଙ୍କା ବ୍ୟୟରେ ବ୍ଲକ ପରିସରରେ ଅପନ୍ତରା ହୋଇ ପଡିଥିବା ଜାଗାରେ ତିଆରି କରିଛନ୍ତି ସୁନ୍ଦର ପାର୍କ ।

ପାର୍କରେ ପାଖାପାଖି ୫୦ ପ୍ରଜାତିର ଗଛ ଲଗାଯାଇଥିବା ବେଳେ ବିଭିନ୍ନ କିସମର ଫୁୁଲଗଛ ବି ଶୋଭା ବଢାଉଛି । ଫୁଲ, ଫଳ ସହ ପରିବା ଗଛ ବି ପାର୍କରେ ଲଗାଇଛନ୍ତି ବିଡିଓ । ତା ସହ କାନ୍ଥରେ ବିଭିନ୍ନ ପଶୁପକ୍ଷୀଙ୍କର ଆକର୍ଷଣୀୟ ଚିତ୍ର ଅଙ୍କାଯାଇଛି । ପିଲାଙ୍କ ପାଇଁ ଲୋକପ୍ରିୟ କାର୍ଟୁନ ନଟିଆର ଚିତ୍ର ବି କରାଯାଇଛି । ତେବେ କରୋନା କଟକଣା ପାଇଁ ଲୋକଙ୍କ ଯିବା ଆସିବା ଉପରେ କଟକଣା ରହିଥିବା ବେଳେ ଆଗାମୀ ଦିନରେ ଲୋକେ ଏହି ପାର୍କର ମଜା ଉଠାଇପାରିବେ । ତେବେ ପ୍ରଶାସନିକ ଅଧିକାରୀଙ୍କ ପରିଶ୍ରମ ଫଳରେ ଅପନ୍ତରା ଜାଗା ଯେ ଏତେ ଆକର୍ଷଣୀୟ ହୋଇପାରିଛି ସେଥିପାଇଁ ବିଡିଓଙ୍କୁ ବାଃ ବାଃ କରୁଛନ୍ତି ସମସ୍ତେ ।