କାମରେ ଲାଗୁଛି କରୋନା ମୃତକଙ୍କ ଶବ ପାଉଁଶ । ଭୋପାଳରେ ତିଆରି ହେଉଛି ପାର୍କ

410

କନକ ବ୍ୟୁରୋ : ଏପ୍ରିଲ ଓ ମେ ମାସରେ କରୋନାର ଦ୍ୱିତୀୟ ଲହର ଦେଶକୁ ପୁରା ବେକାବୁ କରିଦେଇଥିଲା । ଏହି ସମୟରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁଥିବା ବେଳେ ଦୈନିକ ମୃତ୍ୟୁହାର ବି ୪ ହଜାର ପାର କରିଥିଲା । କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବ ସଂସ୍କାର କରିବାକୁ ପରିଜନ ମାନଙ୍କୁ ଶ୍ମଶାନ ଘାଟରେ ଲମ୍ବା ଲାଇନ ଦେଇଥିବାର ଦେଖିବାକୁ ମିଳିଥିଲା । କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ସଂସ୍କାର ପରେ ପଡି ରହୁଥିବା ପାଉଁଶକୁ ଭୋପାଳରେ ଏମିତି ଉପାୟରେ ବ୍ୟବହାର କରାଯାଉଛି ।

ଭୋପାଳରେ ଏହି ପାଉଁଶକୁ ନେଇ ଶ୍ମଶାନ ଘାଟରେ ଏକ ପାର୍କ ନିର୍ମାଣ କରାଯାଉଛି । ଏହି ପାର୍କ ଭଦଭଦା ବିଶ୍ରାମ ଘାଟରେ ବିକଶିତ କରାଯାଉଛି । ଏହି ପାର୍କରେ ୨୧ ଟ୍ରକ ଶବ ପାଉଁଶ ଉପଯୋଗ ହେବ ବୋଲି କୁହାଯାଇଛି । କହିରଖୁ କି କରୋନା ସଂକ୍ରମଣରେ ମତ୍ୟୁବରଣ କରିଥିବା ଲୋକଙ୍କ ଶବ ପାଉଁଶ କୋଭିଡ ନିୟମ ଅନୁସାରେ ପରିଜନଙ୍କୁ ଦିଆଯାଇ ନାହିଁ । ଫଳରେ ଏହି ପାଉଁଶକୁ ଅନ୍ୟ କେଉଁଠି ବ୍ୟବହାର କରାଯିବ ତାହାକୁ ନେଇ ପ୍ରଶାସନ ଚିନ୍ତାରେ ଥିବା ବେଳେ ଏବେ ପାର୍କ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯିବ ବୋଲି କୁହାଯାଇଛି ।

ଶ୍ମଶାନ ପ୍ରବନ୍ଧନ ସମିତିର ଜଣେ ଅଧିକାରୀ କହିଛନ୍ତି କି କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସ୍ମୃତିରେ ଶ୍ମଶାନରେ ୧୨ ହଜାର ବର୍ଗଫୁଟର ଏକ ପାର୍କ ନିର୍ମାଣ କରାଯିବ ।  ଶ୍ମଶାନ ଘାଟ ପ୍ରବନ୍ଧନ ସମିତି ସଚିବ ମମତେଶ ଶର୍ମା ଏକ ଜାତୀୟ ଗଣମାଧ୍ୟମୁ କହିଛନ୍ତି ଯେ ମାର୍ଚ୍ଚ ୧୫ ରୁ ଜୁନ ଶେଷ ପର୍ଯ୍ୟନ୍ତ ଏହି ଶ୍ମଶାନରେ ୬ ହଜାର କରୋନା ମୃତକଙ୍କ ଶବ ସଂସ୍କାର କରାଯାଇଛି । ପରିବାର ଲୋକେ ଅସ୍ତି ନେଇଥିଲେ ବି କରୋନା କଟକଣା କାରଣରୁ ସେମାନଙ୍କୁ ପାଉଁଶ ଦିଆଯାଇ ନାହିଁ । ଏହି କାରଣରୁ ଶ୍ମଶାନରେ ଏବେ ୨୧ ଟ୍ରକ ପାଉଁଶ ପଡି ରହିଛି । ଏହି ପାଉଁଶକୁ ନର୍ମଦା ନଦୀରେ ଭଶାଇବା ପର୍ଯ୍ୟାବରଣ ଅନୁକୁଳ ହୋଇ ନଥିବାରୁ ଏହାକୁ ବିକଶିତ କରିବାକୁ ଯୋଜନା କରାଯାଇଛି ।

ମମତେଶ ଆହୁରି କହିଛନ୍ତି କି ଏହି ପାଉଁଶ ସହ ମାଟି, ଗୋବର, କାଠଗୁଣ୍ଡ ଓ ବାଲି ମିଶାଇ ପାର୍କର ୧୨ ହଜାର ବର୍ଗଫୁଟ ଜମି ବିକଶିତ କରାଯାଇଛି । ଯାହା ଉପରେ ୩ ରୁ ୪ ହଜାର ଗଛ ଲଗାଯାଇ ପାରିବ ।