କନକ ବ୍ୟୁରୋ : ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ୭୮ଭାରତୀୟ ଖେଳାଳୀ ମାନଙ୍କ ସହ ସମ୍ପୁର୍ଣ୍ଣ କଣ୍ଟିଜେନ ଅଂଶହଣ କରିଛନ୍ତି । ସେନ ନଦୀରେ ପ୍ୟାରିସ ତରଫରୁ ଉଦଘାଟନୀ ପ୍ୟାରେଡ ପାଇଁ ଆୟୋଜିତ ହୋଇଥିବା ଭବ୍ୟ ଆୟୋଜନରେ ଖାସ ପୋଷାକ ତିଆରି କରାଯାଇଥିଲା । ଏହି ମନମୁଗ୍ଧକର ସ୍ୱାଗତ ଉତ୍ସବରେ ବ୍ୟାଟମିଣ୍ଟନ ତାରକା ପି.ଭି ସିନ୍ଧୁ ଓ ଟେବୁଲ ଟେନିସ ଚାମ୍ପିୟନ ସରଥ କମଲ ଧ୍ୱଜ ଧାରକ ଥିଲେ । ଏହି ଖାସ ଉତ୍ସବ ପାଇଁ ଆଦିତ୍ୟ ବିର୍ଲା ଫ୍ୟାସନ ଏକାଡେମି ଓ ଭାରତୀୟ ପୋଷାକ ନିର୍ମାତା ତରୁଣ ତାହିଲିୟାନିଙ୍କ ମିଳିତ ସହଯୋଗରେ ଖେଳାଳୀ ମାନଙ୍କ ପାଇଁ ନୂଆ ଧରଣର ପୋଷାକ ତିଆରି କରାଯାଇଥିଲା । ହେଲେ ସୋସିଆଲ ମିଡିଆରେ ଏହି ପୋଷାକ ଡିଜାଇନ ଓ ପ୍ରିଣ୍ଟକୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି । ଜଣେ କି ଦୁଇ ଜଣ ନୁହେଁ ଅନେକ ବ୍ୟବହାରକାରୀ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଭାତରର ସମୃଦ୍ଧ ସଂସ୍କୃତି ଓ ବର୍ଷ ପୁରାତନ ପ୍ରସିଦ୍ଧ ପରମ୍ପରାକୁ ପ୍ରତିନିଧିତ୍ୱ କରିବା ଏହି ପୋଷାକର ଲକ୍ଷ୍ୟ । ଅଲିମ୍ପିକ୍ସ ଭଳି ଏକ ବିଶ୍ୱ ସ୍ତରୀୟ ଅୟୋଜନରେ ଭାରତର କଳା ଓ କାରୁକାର୍ଯ୍ୟ ଦେଖାଇବା ଏକ ବଡ କାର୍ଯ୍ୟଭାର । ଏହି ସବୁକୁ ବିଶେଷ ଦୃଷ୍ଟିରେ ରଖି ଭାରତୀୟ ଡିଜାଇନର ତରୁଣ ପୁରୁଷ ମାନଙ୍କ ପାଇଁ କୁର୍ତ୍ତା ପାଇଜାମା ସହ ବୁନ୍ଦି ଜ୍ୟାକେଟ ଓ ମହିଳା ମାମଙ୍କ ପାଇଁ ଶାଢୀ ଡିଜାଇନ କରିଥିଲେ । ଉଭୟଙ୍କ ପୋଷାକରେ ଭାରତୀୟ ପତାକାକୁ ଦର୍ଶାଇବା ପାଇଁ ପୋଷାକ ଓ ଶାଢୀ ଧଡିରେ ଧଳା ଉପରେ ନାରଙ୍ଗି ଓ ସବୁଜ ରଙ୍ଗର ବ୍ୟବହାର କରାଯାଇଛି । ଭାରତର ପରମ୍ପରାର ଛିଟ ଦେବା ପାଇଁ ଏଥିରେ ଭାରତର ପ୍ରସିଦ୍ଧ ପୁରାତନ କାଳରୁ ବ୍ୟବହୃତ ‘ଇକତ’ ପ୍ରିଣ୍ଟକୁ ଚୟନ କରାଯାଇଥିଲା ।

ହେଲେ ଖେଳାଳୀ ପୋଷାକ ପିନ୍ଧି ଯୋଗ ଦେବାପରେ ଲୋକ ମାନେ ଡିଜାଇନକୁ ଅତି ସାଧାରଣ, ସୃଜନୀ ବିହୀନ ହୋଇଥିବା ବେଳେ ଶସ୍ତା ଦେଖାଯଉଛି ବୋଲି କଡା ସମାଲୋଚନା କରିଛନ୍ତି । ଯେତେବେଳେ ବିଶ୍ୱ ସ୍ତରରେ ଏପରି ଏକ ବଡ ମଂଚରେ ଭାରତକୁ ଦର୍ଶାଇବା କଥା ଉଠୁଛି ସେଠାରେ ଏପରି ଏକ ଡିଜଇାନ ଭାରତର ପରମ୍ପରାକୁ କିଭଳି ଭାବେ ପ୍ରତିନିଧିତ୍ୱ କରିବ ବୋଲି କହି ପ୍ରଶ୍ନ ଉଠାଇଛନ୍ତି ଲୋକ । ଏଭଳି ବଡ ନିର୍ମାତା ସଂଘ ଠାରୁ ଏପରି ସୃଷ୍ଟି ବିଶ୍ୱ ସ୍ତରରେ ସମସ୍ତଙ୍କୁ ହତାଶ କରିଛି ।

କିଛି କହିଛନ୍ତି ଭାରତରେ ଅନେକ ପୁରାତନ ସମୃଦ୍ଧ ବୁଣାକାରୀ କଳା ରହିଛି । ହେଲେ ସେ ସବୁକୁ ବଛା ଗଲା ନାହିଁ । ଏପଟେ ପୋଷାକ ତିଆରି ପାଇଁ ଯେଉଁ ଖସଡା କପଡାର ବ୍ୟବହାର କରାଯାଇଛି ସେ ଅତି ନିମ୍ନ ମାନର ରହିଛି । ବ୍ୟବହାରକାରୀ ତରୁଣଙ୍କୁ ସିଧାସଳଖ ଇଂଗିତ କରି କହିଛନ୍ତି ଏହାଠାରୁ ଭଲ ଶାଢୀ ସେ ମୁମ୍ବାଇର ରାସ୍ତା କଡରୁ ୨୦୦ ଟଙ୍କାରେ ପାଇପାରିିବେ । ଦେଖିଲେ ଲାଗୁଛି ଯେମିତି ଜାତୀୟ ପତାକାର ରଙ୍ଗ ମାନଙ୍କୁ କେବଳ ନାମ ମାତ୍ର ପାଇଁ ବ୍ୟବହାର କରା ଯାଇଛି ।