କନକ ବ୍ୟୁରୋ: ଅଲମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ଚୁରମାର ହୋଇଯାଇଛି । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ବିନେଶ ଫୋଗାଟ । ପ୍ରତ୍ୟେକଟି ଭାରତୀୟଙ୍କୁ ବଡ଼ ଝଟକା ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିନେଶଙ୍କୁ ସାନ୍ତ୍ୱନା ଦେଇଛନ୍ତି । ଧାର୍ଯ୍ୟ ଓଜନରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଫାଇନାଲ ପୂର୍ବରୁ ବିନେଶ ଫୋଗାଟଙ୍କୁ ଡିସକ୍ୱାଲିଫାଏ କରାଯାଇଛି ।

Advertisment

୫୦ କେଜି ବର୍ଗ କୁସ୍ତିରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ବିନେଶ ଫୋଗାଟ । କିନ୍ତୁ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ଼ ଝଟକା । ଧାର୍ଯ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନେଶଙ୍କୁ ସାନ୍ତ୍ୱନା ଦେବା ସହ କହିଛନ୍ତି, ବିନେଶ ତୁମେ ଚାମ୍ପିୟନ ମାନଙ୍କ ଭିତରେ ଚାମ୍ପିୟନ । ତୁମେ ଭାରତ ପାଇଁ ଗର୍ବ ଓ ସାରା ଭରତୀୟଙ୍କ ପାଇଁ ପ୍ରେରଣା । ଆଜିର ନିଷ୍ପତ୍ତି ଦୁଃଖଦାୟକ । ଏହାକୁ ଶବ୍ଦରେ ବଖାଣି ହେବ ନାହିଁ । ଦୃଢ ମନୋବଳ ସହ ଫେରିଆସ । ଆମେ ସମସ୍ତେ ତୁମ ସହ ଅଛୁ ।

ତେବେ ପ୍ରଧାନମନ୍ତ୍ରୀଙ୍କ ସମବେଦନା ପରେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଅଲମ୍ପିକ୍ସରେ ପଦକ ବିଜେତାଙ୍କୁ ମୋଦି ଫୋନ୍ ଜରିଆରେ ଶୁଭେଚ୍ଛା ଜଣାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ବିନେଶ ଫୋଗାଟଙ୍କ କ୍ଷେତ୍ରରେ କାହିଁକି ଟ୍ୱିଟ୍ ମାଧ୍ୟମରେ ସାନ୍ତ୍ୱନା ଦେଲେ, ସେନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ପ୍ୟାରିସ୍ ଅଲିମ୍ପିକ୍ସରେ ବିନେଶଙ୍କ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କୁ ଉତ୍ସାହିତ କରିଛି ଏବଂ ଦେଶକୁ ଗର୍ବିତ କରିଛି । ଅଯୋଗ୍ୟତା ଉପରେ ଆମେ ସମସ୍ତେ ତାଙ୍କ ନିରାଶା ବାଣ୍ଟୁଥିବାବେଳେ ସେ ଏବେ ବି ୧.୪ ବିଲିୟନ ଲୋକଙ୍କ ହୃଦୟରେ ଚାମ୍ପିଅନ୍ ହୋଇ ରହିଛନ୍ତି । ଭବିଷ୍ୟତରେ ସେ ଅନେକ ପୁରସ୍କାର ଜିତନ୍ତୁ ମୁଁ ଏତିକି କାମନା କରୁଛି ।