କନକ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ପ୍ରକଳ୍ପ ରଥ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ଏହି ପ୍ରକଳ୍ପ ରଥ ପରିକ୍ରମା କରିବ । ନାମ ସଂକୀର୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ବିଏମସି ଅଂଚଳ ।
ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟ ଦେବତାଙ୍କ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ ହେଉଛି । ଏହି ଯାତ୍ରାରେ ସାମିଲ ହେଉଛନ୍ତି ପ୍ରତି ଅଂଚଳର ସଂକୀର୍ତନ ମଣ୍ଡଳୀ । ଏହି ପରିକ୍ରମା ପ୍ରକଳ୍ପ ରଥ ପାଇଁ ପ୍ରତି ଦୁଆର ମୁହଁରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ ଦାୟିତ୍ୱ ସ୍ୱେଚ୍ଛାସେବୀଙ୍କୁ ହସ୍ତାନ୍ତର କରିଛି ବିଏମ୍ସି । ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବିଏମ୍ସି ଏକ କମିଟି ଗଠନ କରିଛି । ପ୍ରତି ୩ଟି ୱାର୍ଡକୁ ନେଇ ଏକ ୟୁନିଟ୍ ବା କ୍ଲଷ୍ଟର ଗଠନ କରାଯାଇଛି । ୩ଟି ୱାର୍ଡର କେନ୍ଦ୍ରସ୍ଥଳୀ ଜଗନ୍ନାଥ ମନ୍ଦିର ହେବ କିମ୍ବା ଅନ୍ୟ କେଉଁ ମନ୍ଦିରରୁ ପରିକ୍ରମା ରଥ ବାହାରି କେଉଁ ରୁଟ୍ରେ ବୁଲିବ ତାର ରୁଟ୍ ଚାଟ୍ ପ୍ରସ୍ତୁତ କରିବା ଦାୟିତ୍ୱ କର୍ପୋରେଟ୍ରଙ୍କୁ ଦିଆଯାଇଛି ।