ପରିକ୍ରମା ପ୍ରକଳ୍ପ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

76

କନକ ବ୍ୟୁରୋ: ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେଦ, ପାଠର ଧ୍ୱନୀ ଆଉ ସଂକିର୍ତନ ଭିତରେ ଏହି ଐତିହ କରିଡର ଉଦ୍ଘାଟନ କରାଯାଇଛି । କେବଳ ସେତିକି ନୁହେଁ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦେଇ ଭକ୍ତମାନେ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଅପେକ୍ଷାରେ ଅନ୍ତ ହୋଇଛି । ଅପରାହ୍ନ ଗୋଟାଏ ୧୫ରୁ ସାଢ଼େ ଗୋଟାଏ ମାହେନ୍ଦ୍ର ବେଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଏହି ଐତିହାସିକ ମୁହୁର୍ତର ସାକ୍ଷୀ ବନିଛନ୍ତି । ବିଭିନ୍ନ ମଠ ମନ୍ଦିରରୁ ଆସିଥିବା ସାଧୁ ସନ୍ଥ, ଅତିଥି ଏହି ଶୁଭ ମୁହୁର୍ତରେ ସାମିଲ ହୋଇଛନ୍ତି ।

ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ତିନି ଦିନ ଧରି ଚାଲିଥିବା ମହାଯଜ୍ଞର ଅନ୍ତିମ ଦିନରେ ଜନସାଧାରଣଙ୍କ ଉଦେଶ୍ୟରେ ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧି ମୁତାବକ ଲୋକାର୍ପଣ ଶିଳାର ପୂଜାର୍ଚ୍ଚନା ପରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତି ମହାରାଜା ଶିଳାରେ ଚନ୍ଦନ ଲଗାଇ ପୁଷ୍ପ ଚଢ଼ାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଆଉ ଶିଳା ଦେହରେ ସୁବର୍ଣ୍ଣ ରଂଗର ଖୋଦିତ ହୋଇଥିବା ଓଁ, ଜୟ ଜଗନ୍ନାଥ ନମଃ ବେଶ ଆକର୍ଷଣୀୟ ହୋଇଛି ।
ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବା ପରେ ପରେ, ମହାଯଜ୍ଞର କର୍ତା ଗଜପତି ମହାରାଜା ଦିବ୍ୟସିଂହ ଦେବ ପୂର୍ଣ୍ଣାହୂତି ଦେଇଛନ୍ତି । ବେଦପାଠ ଓ ନାମ ସଂକୀର୍ତନ ଭିତରେ ଯଜ୍ଞର ପୂର୍ଣ୍ଣାହୁତି ଦେଇଛନ୍ତି ଗଜପତି ମହାରାଜ । ମୁଖ୍ୟମନ୍ତ୍ରୀ ମଧ୍ୟ ଦିବ୍ୟ ଯଜ୍ଞରେ ପୁଷ୍ପାଞ୍ଜଳି ଦେଇଛନ୍ତି । ଯଜ୍ଞରେ ଆହୁତି ସହ ବେଦମନ୍ତ୍ର ପାଠ କରି ବିଶ୍ୱମଂଗଳ କାମନା କରିଛନ୍ତି ବରଣୀୟ ବ୍ରାହ୍ମଣ ।

ମହାଯଜ୍ଞର ପୂର୍ଣ୍ଣାହୁତି ପରେ ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଛନ୍ତି ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ । ବରିଷ୍ଠ ପଦାଧିକାରୀ ବି ପରିକ୍ରମା ମାର୍ଗରେ ପ୍ରଦକ୍ଷିଣ କରିଛନ୍ତି । ଏଥିସହ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦେଇଥିବା ପରିବାରଙ୍କୁ ସମ୍ମାନିତ କରିଛନ୍ତି ।

ବେଦପାଠୀଙ୍କ ବେଦପାଠ ଓ ନାମ ସଂକୀର୍ତନରେ ପ୍ରକମ୍ପିତ ହୋଇଛି ଶ୍ରୀକ୍ଷେତ୍ର । ଭକ୍ତିମୟ ପରିବେଶ ସୃଷ୍ଟି କରିଛି ସଂକୀର୍ତନିଆଙ୍କ ଝାଞ୍ଜ ମୃଦଙ୍ଗର ଧ୍ୱନି ଓ ଜୟ ଜଗନ୍ନାଥ ଉଚ୍ଚାରଣ ।

ଆଉ ଏହାରି ଭିତରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ୍ ବା ଶ୍ରୀସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦେଇ ଭକ୍ତମାନେ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।