କନକ ବ୍ୟୁରୋ: ଯଜ୍ଞମଣ୍ଡପ ପ୍ରସ୍ତୁତ, ପରିକ୍ରମା ମାର୍ଗ ବି ପ୍ରସ୍ତୁତ । ମଝିରେ ଆଉ ମାତ୍ର ଦୁଇ ଦିନ । ପୌଷ ଶୁକ୍ଳ ସପ୍ତମୀ ତିଥିରେ, ୧୭ ତାରିଖରେ ଭବ୍ୟ, ଦିବ୍ୟ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ । ତେବେ ଲୋକାର୍ପଣ ପୂର୍ବରୁ ଆରମ୍ଭ ହୋଇଯାଇଛି ଯଜ୍ଞ ପାଇଁ ପୂଜାନୀତି ।

ମନ୍ତ୍ରୋପୋଚାରଣ କମ୍ପୁଛି ଶ୍ରୀକ୍ଷେତ୍ର । ଗୁଞ୍ଜରିତ ହେଉଛି ଜୟ ଜଗନ୍ନାଥ ଧ୍ୱନି । ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଆଦ୍ୟପର୍ବ ଯଜ୍ଞର ବିଭିନ୍ନ ପୂଜାନୀତି । ଶନିବାର ଅଙ୍କୁର ପୂଜନ ଓ ମଣ୍ଡଳକଟା ଯାଇଥିବାବେଳେ, ରବିବାର ହୋଇଛି ମଣ୍ଡଳ ସ୍ଥାପନ, ଯଜ୍ଞ ଅଧିବାସ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଶୋତ୍ରିୟ ବ୍ରାହ୍ମଣ ଏହି ନୀତିକାନ୍ତି ସମାପନ କରିଛନ୍ତି ।

ଝଲସୁଛି ଶ୍ରୀମନ୍ଦିର । ଅପରୂପ ସୌନ୍ଦର୍ର୍ଯ୍ୟରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ବଦଳିଛି ସମଗ୍ର ପୁରୀର ପରିପାଟ୍ଟି । ଯୁଆଡେ ଚାହିଁବ ଆଖି ଲାଖି ଯାଉଛି । ପ୍ରତିଟି କାରୁକାର୍ଯ୍ୟରେ ଝଲସୁଛି ଉକ୍ରଳର ଐତିହ୍ୟ, ସଂସ୍କୃତି ଓ ପରମ୍ପରା । ଜଗନ୍ନାଥଙ୍କ ଲୀଳା, ଭକ୍ତ-ଭଗବାନ ସମ୍ପର୍କ, ପୁରାଣ ଓ କିମ୍ବଦନ୍ତୀ କାହାଣୀର ଚିତ୍ରକୁ ଦେଖିବା ପାଇଁ, ଶ୍ରଦ୍ଧାଳୁମାନେ ଏବେ ପୁରୀ ମୁହାଁ ହେଲେଣି । କାଳିଆ ସାଆନ୍ତଙ୍କ ଡୋରି ଭକ୍ତଙ୍କୁ, ଶ୍ରୀକ୍ଷେତ୍ରକୁ ହାତ ଠାରି ଡାକିଲାଣି । ଶ୍ରୀମନ୍ଦିରରେ ଗହଳି ବି ଲାଗିଲାଣି । ଆଉ ଯେଉଁମାନେ ପୁରୀକୁ ଆସୁଛନ୍ତି ସେମାନେ ପରିକ୍ରମା ପ୍ରକଳ୍ପକୁ ଦେଖି ଖୁସିରେ ଆତ୍ମହରା ।

ଶ୍ରୀମାର୍ଗ, ଶ୍ରୀସେତୁ ବି ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୋମବାର ଶ୍ରୀସେତୁରେ ଟ୍ରାଏଲ ରନ୍ ହେବ । ୧୭ତାରିଖ ଲୋକାର୍ପଣ ପରେ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗକୁ ଆସିପାରିବେ । ୧୭ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀମାର୍ଗ ଦେଇ ଯଜ୍ଞସ୍ଥଳକୁ ଯିବେ । ମନ୍ତ୍ରୀ, ସାଂସଦ, ଅତିଥି ମଧ୍ୟ ଶ୍ରୀମାର୍ଗ ଦେଇ ଆସିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆଉ ଏସବୁ ଭିତରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ।

ଏଥିସହ ଲୋକାର୍ପଣ ଉତ୍ସବ ଦିନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବଡଦେଉଳର ଐଶାନ୍ୟ କୋଣରେ ଯଜ୍ଞ ଚାଲିଥିବାବେଳେ ଶ୍ରୀମନ୍ଦିରର ଚାରି ଦ୍ୱାରରେ କରାଯିବ ବେଦ ପାଠ ଓ ନାମ ସଂକୀତର୍ଣ୍ଣ । ଅନ୍ୟପଟେ ୧୭ତାରିଖରେ ପ୍ରବଳ ଭିଡକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।