କନକ ବ୍ୟୁରୋ: ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶାଳ ଆୟୋଜନ ହୋଇଛି । କାର୍ଯ୍ୟକ୍ରମକୁ ଭବ୍ୟ ଓ ସ୍ମରଣୀୟ କରିବା ପାଇଁ ପ୍ରମୁଖ ଦେବପୀଠକୁ ଆଜିଠୁ ଦିଆଯିବ ନିମନ୍ତ୍ରଣ । ପ୍ରଥମେ ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପତ୍ର ଦିଆଯିବ, ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିଛନ୍ତି । ରାଜ୍ୟ ମଧ୍ୟରେ ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ । ପ୍ରଥମ ଟିମ ଖଲ୍ଲିକୋଟ ଓ କୋଦଳା ଅଂଚଳକୁ ପ୍ରଥମେ ଯାତ୍ରା କରିଛନ୍ତି । ଅନ୍ୟ ଟିମ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ମୟୁରଭଂଜ, ଯାଜପୁର ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଦା, ନୟାଗଡ, ଗଂଜାମ, ବଲାଙ୍ଗୀର, ଦାରୁକ୍ଷେତ୍ର ପୁରୀ, କାକଟପୁର ଗସ୍ତରେ ଯାଇଛନ୍ତି ।

Advertisment

ସେହିପରି ରାଜ୍ୟ ବାହାରର ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର. ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତିରୁପତି ବାଲାଜୀ, କାଂଚିପୁରମ କାମାକ୍ଷୀ ଦେବୀ, ରାମେଶ୍ୱରମ, ବଦ୍ରୀନାଥ , କେଦାରନାଥ, ଉତ୍ତରକାଶୀ, ଯୋଶୀମଠ , ଦ୍ୱାରିକାଧୀଶ, ନାଗେଶ୍ୱର ଜ୍ୟୋର୍ତିଲିଙ୍ଗ, ବୈଷ୍ଣୋ ଦେବୀ, ମଦୁରାଇ, ମହାକାଳେଶ୍ୱର, ଚାମୁଣ୍ଡେଶ୍ୱରୀ ଭଳି ପ୍ରସିଦ୍ଧ ପୀଠକୁ ଗସ୍ତ କରି ପୁରୀକୁ ଆମନ୍ତ୍ରଣ କରାଯିବ । ଚାରିଧାମର ଜଗତଗୁରୁଙ୍କ ମମେତ ଅନେକ ମାନ୍ୟଗଣ୍ୟ ତଥା ଭିଭିଆଇପିକୁ ମଧ୍ୟ ନିମନ୍ତ୍ରଣ କରାଯିବା ନେଇ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ ।