‘ପରୀ’ ଗାଁରେ ପରୀର ପିଶାଚ ! ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ । ପରୀର ପିନ୍ଧା ପୋଷାକରେ ଅଭିଯୁକ୍ତର ସିମେନ୍ ।

3,128

କନକ ବ୍ୟୁରୋ: ନୟାଗଡ ପରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ । ହାଇକୋର୍ଟରେ ଏସଆଇଟି ତଦନ୍ତ ରିପୋର୍ଟରୁ ଖୁଲାସା । ୫ ବର୍ଷର ଶିଶୁକନ୍ୟା ପରୀ ମୃତ୍ୟୁ ପ୍ରସଙ୍ଗ, ସାରା ରାଜ୍ୟକୁ ଦୋହଲାଇ ଦେଇଥିବାବେଳେ ଏବେ ଏହି ମାମଲାରେ ଆସିଛି ନୂଆ ମୋଡ । ହାଇକୋର୍ଟରେ ପରୀ ମୃତ୍ୟୁ ତଦନ୍ତରେ ହୋଇଥିବା ଅଗ୍ରଗତି ନେଇ ରିପୋର୍ଟ ଦାଖଲ କରିଛି କ୍ରାଇମବ୍ରାଂଚର ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ । ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିରେ ଉଲ୍ଲେଖ ଅଛି…

– ହତ୍ୟା ପୂର୍ବରୁ ପରୀକୁ ଦିଆଯାଇଥିଲା ଯୌନ ନିର୍ଯାତନା
– ସଂପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ମିଳିଥିଲା ପରୀର ମୃତଦେହ
– ପରୀର ପିନ୍ଧା ପୋଷାକ ମଧ୍ୟ ପାଇଛି ତଦନ୍ତକାରୀ ଟିମ୍
– ସେହି ପୋଷାକରେ ଅଭିଯୁକ୍ତର ସିମେନ୍ ଲାଗିଛି

ହାଇକୋର୍ଟଙ୍କ ନୀରିକ୍ଷଣରେ ପରୀ ମୃତ୍ୟୁ ମାମଲାର ଛାନଭିନ କରୁଥିବା କ୍ରାଇମବ୍ରାଂଚ ଏସଆଇଟି ତାର ତଦନ୍ତରେ ହୋଇଥିବା ଅଗ୍ରଗତିକୁ ନେଇ ଯେଉଁ ରିପୋର୍ଟ ଦାଖଲ କରିଛି, ତାହା ସମଗ୍ର ମାମଲାକୁ ଏକ ଭିନ୍ନ ମୋଡ ଦେଇଛି । କାରଣ ପରୀର ମୃତ୍ୟୁ କିଭଳି ହେଲା? ତାକୁୁ ହତ୍ୟା କରାଯାଇଛି କି? ଏହିଭଳି ଏକାଧିକ ପ୍ରଶ୍ନ ଚାରିପାଖେ ଘୁରିବୁଲୁଥିଲା ପୁରା ମାମଲା । ଆଉ ଏହି ରହସ୍ୟ ଉପରୁ ଏସଆଇଟି ପରଦା ହଟାଇପାରେ ବୋଲି ସମ୍ଭାବନା ବଢିଯାଇଛି । ପ୍ରାୟ ୫ ମାସ ହେଲାଣି ନୟାଗଡ ପୋଲିସ ଯେଉଁ ମାମଲାର ଧାର ଧରିପାରୁନଥିଲା, ଏସଆଇଟି ସେହି ମାମଲାକୁ ଅଳ୍ପ କେଇଦିନରେ ନିର୍ଯାସ ଆଡକୁ ନେଇ ଆସିଛି । ଏପରିକି ବିଶ୍ୱସ୍ତ ସୂତ୍ରରୁ କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁସାରେ, ପରୀକୁ ଯୌନି ନିର୍ଯାତନା ଦେଇଥିବା ଅଭିଯୁକ୍ତ ପରୀର ଗାଁ ଅର୍ଥାତ ନୟାଗଡ ଯଦୁପୁରର ବୋଲି ଜଣାପଡିଛି ।

ପରୀକୁ ଯୌନ ନିର୍ଯାତନା ଦିଆଯାଇଥିଲା ବୋଲି କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟଙ୍କୁ ଜଣାଇଛି । ବୈଜ୍ଞାନିକ ପରୀକ୍ଷଣ ପରେ ପରୀର ପିନ୍ଧା ଫ୍ରକରେ ସିମେନ ମିଳିଛି । ହେଲେ ଏହି ମାମଲାରେ ବିରୋଧୀଙ୍କ ହଙ୍ଗାମା ବେଳେ ବିଧାନସଭାକୁ ସୂଚନା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ପରୀର ମୃତଦେହ ଯେଉଁଭଳି ଅବସ୍ଥାରେ ଉଦ୍ଧାର ହୋଇଥିଲା ତାକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା ସ୍ପଷ୍ଟ କରିହେବ ନାହିଁ । କାରଣ ମୃତଦେହ ଉଦ୍ଧାର ହେଲାବେଳକୁ ସଂପୂର୍ଣ୍ଣ ନଷ୍ଟ ହୋଇସାରିଥିଲା ବୋଲି କହିଥିଲେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ।

ଏସଆଇଟି ତଦନ୍ତରେ ଯେଉଁ କଥା ସାମ୍ନାକୁ ଆସିଛି, ସେଥିରେ ସନ୍ତୁଷ୍ଟ ନୁହନ୍ତି ପରୀର ବାପା, ମାଆ । ସେମାନେ ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ଜୁଲାଇ ୨୩ ତାରିଖରେ ପରୀର ମୃତଦେହ ମିଳିଥିଲା । ନୟାଗଡ ପୋଲିସ କୌଣସି ପଦକ୍ଷେପ ନନେବାରୁ ବିଧାନସଭା ଆଗରେ ଆତ୍ମହୂତି ଉଦ୍ୟମ କରିଥିଲେ ପରୀର ବାପା, ମାଆ । ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀଙ୍କ ହଙ୍ଗାମା ପରେ ହାଇକୋର୍ଟଙ୍କ ନିରୀକ୍ଷଣରେ କ୍ରାଇମବ୍ରାଂଚ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।