ପରୀ ହତ୍ୟା ମାମଲାରେ ନୂଆ ମୋଡ: ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କଲେ NCPCR,କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାରଙ୍କୁ ଲେଖିଲେ ଚିିଠି

76

କନକ ବ୍ୟୁରୋ: ପରୀ ହତ୍ୟା ମାମଲାରେ ଆଜି ଏକ ନୂଆ ମୋଡ ଆସିଛି । ଏସଆଇଟି ତଦନ୍ତର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବା ଏନସିପିସିଆର । ଏଥିସହ ଏହି ମାମଲାକୁ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ନିରପେକ୍ଷ ଯାଂଚ କରାଇବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରିବାକୁ ଚିଠି ଲେଖିଛି । ଅନ୍ୟପଟେ ନୟାଗଡ ଯଦୁପୁର ଗାଁର କେତେ ଜଣଙ୍କୁ ସନ୍ଦେହରେ ଉଠାଇ ନେଇ ପଚରାଉଚରା କରୁଛି ଏସଆଇଟି ।

ନୟାଗଡର କୁନି ଝିଅ ପରୀର ମୃତ୍ୟୁ ମାମଲା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ହେଲେ, ଏପର୍ଯ୍ୟନ୍ତ ପରୀକୁ କିଏ ମାରିଲା ଓ କାହିଁକି ମାରିଲା, ତା ନିକଟରେ ପହଁଚି ପାରିନି ତଦନ୍ତକାରୀ ଟିମ୍ । ଏଭଳି ସମୟରେ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ବା ଏନସିପିସିଆର । ନିରପେକ୍ଷ ତଦନ୍ତ ପାଇଁ ଏହି ମାମାଲାକୁ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଯାଂଚ କରାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଲେଖିଛନ୍ତି..

ରାଜ୍ୟ ସରକାରଙ୍କୁ ଏନସିପିସିଆରଙ୍କ ଚିଠି ..
– ଅଙ୍ଗ ଚୋରି ଭଳି ସଂଗୀନ ଅଭିଯୋଗ ଥିବାରୁ ମାମଲାର ଭଲ ଭାବରେ ତଦନ୍ତ ହେବା ଆବଶ୍ୟକ
-ପୋଲିସ ଦ୍ୱାରା କରାଯାଇଥିବା ପ୍ରାଥମିକ ତଦନ୍ତରେ ଅନେକ ତ୍ରୁଟି ରହିଛି
– ମୃତ ଦେହ ଠାବ ପରେ ପରୀ ବାପା-ମାଆଙ୍କ ବୟାନ ରେକର୍ଡ କରାନଯିବା ଓ ପଲିଗ୍ରାଫ୍ ଟେଷ୍ଟ କରିବା ଠିକ୍ ନୁହେଁ
– ପ୍ରାଥମିକ ତଦନ୍ତ ତ୍ରୁଟିପୂର୍ଣ୍ଣ ଥିବାରୁ ଏସଆଇଟି ତଦନ୍ତ ନିରପେକ୍ଷ ହେବା ନେଇ ସନ୍ଦେହ ରହିଛି
– ଜିଲ୍ଲାପାଳ ଓ ଏସପି କମିଶନଙ୍କ ନିକଟରେ ଅସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିଛନ୍ତି
– ମାମଲାର ଗୁରୁତ୍ୱ ଦୃଷ୍ଟିରୁ କୌଣସି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଯାଂଚ କରିବାକୁ ରାଜ୍ୟ ସରକାର ସୁପାରୀସ୍ କରନ୍ତୁ
– ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ

ପରୀ ମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ ନଭେମ୍ବର ୩୦ରେ ଏନସିପିସିଆରରେ ଅଭିଯୋଗ କରିଥିଲେ ବିଜେପି ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଭିଯୋଗ ପାଇବା ପରେ ନୟାଗଡ ଜିଲ୍ଲାପାଳ ଓ ଏସପିଙ୍କୁ ସମନ କରିଥିଲେ କମିଶନ ।

ଅନ୍ୟପଟେ ଏହି ମାମଲାରେ ଯଦୁପୁର ଗାଁରେ ୩ ଜଣଙ୍କୁ ଉଠାଇ ନେଇଛି ଏସଆଇଟି । ସନ୍ଦିଗ୍ଧ ଯୁବକ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ନେଇଛି ଏସ୍ଆଇଟି ଟିମ୍ । ନୟାଗଡ଼ ଅଜ୍ଞାତ ସ୍ଥାନରେ ନେଇ ପଚରାଉଚୁରା କରୁଥିବା ସୂଚନା ମିଳିଛି ।

ସରୋଜଙ୍କ ଉପରେ ସନ୍ଦେହ କରି ପୂର୍ବରୁ ତାଙ୍କ ମୋବାଇଲ, ଶୋଇବା ଶେଜ, ତକିଆ ଏପରିକି ପିନ୍ଧା ପୋଷାକ ସିଜ୍ କରି ସାଙ୍ଗରେ ନେଇଯାଇଥିଲା ଏସଆଇଟି । ମୋବାଇଲର ଏକ ଫୋଲଡର ଖୋଲୁନଥିବାରୁ ତାଙ୍କ ଉପରେ ସନ୍ଦେହ ବଢ଼ିଥିଲା । ପରୀ ପାଇଁ ରବିବାରଠାରୁ ୫ ଦିନ ଧରି ପଦଯାତ୍ରା କରିବ ବିଜେପି । ୨୦ରୁ ୨୪ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ନୟାଗଡ ଯଦପୁୁରକୁ ପଦଯାତ୍ରା କରିବେ ବିଜେପିର ନେତା ଓ କର୍ମୀ ।