ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ । ନୟାଗଡ ଯଦୁପୁରରେ ପହଁଚି ଛାନଭିନ୍ କଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

115

କନକ ବ୍ୟୁରୋ: ନୟାଗଡର ନିଷ୍ପାପ ନାବାଳିକା ପରୀ ମୃତ୍ୟୁ ମାମଲାର ତନାଘନା ଆରମ୍ଭ ହୋଇଛି । ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଟିମ୍ ଆଜି ଯଦୁପୁର ଯାଇ ତଦନ୍ତ କରିଛନ୍ତି । କିଏ କାହିଁକି ଜଣେ ନୀରିହ ନାବାଳିକାକୁ ହତ୍ୟା କଲା, ତାହାର ଉତର ଖୋଜିବା ଆରମ୍ଭ କରିଛି ଏସଆଇଟି । ଏପଟେ ପରୀ ମୃତ୍ୟୁକୁ ନେଇ ରାଜନୈତିକ ଘନଘଟା ଦେଖିବାକୁ ମିଳିଛି । ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛନ୍ତି । ସେହିପରି ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ ବିକ୍ଷୋଭ କରିଛି ଏବିଭିପି ।   

ପରୀ ମୃତ୍ୟୁ ମାମଲାକୁ ନେଇ ରାଜନୈତିକ ହଟଚମଟ ଭିତରେ ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଯଦୁପୁରରେ ତଦନ୍ତ ଆରମ୍ଭ କରିଛି ଏସଆଇଟି । କେମିତି ୫ ବର୍ଷର ନୀରିହ ଝିଅ ପ୍ରାଣ ହରାଇଲା, କିଏ ତାକୁ ମାରିଲା, ଏହା ପଛରେ କାହାର ହାତ ଅଛି, ଏମିତି ଅନେକ ପ୍ରଶ୍ନର ଉତରକୁ ଅପେକ୍ଷା କରିଛି ଓଡିଶା । ଏହି ପ୍ରଶ୍ନର ଉତର ମିଳିନଥିବାରୁ ଅସନ୍ତୋଷର ନିଆଁ ବ୍ୟାପିବାରେ ଲାଗିଛି । 

ପରୀ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରି ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏଥିସହ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେପି । ସେପଟେ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ହାତରେ ବ୍ୟାନର ପ୍ଲାକାର୍ଡ ଧରି ମନ୍ତ୍ରୀଙ୍କ ଘର ଆଗରେ ନାରାବାଜି କରିଛନ୍ତି ଏବିଭିପିର ଛାତ୍ରଛାତ୍ରୀ । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭକାରୀ  ବାସଭବନ ଆଗରେ ନାରାବାଜି କରୁଥିବା ବେଳେ ପୁଲିସ ଉଠାଇ ନେଇଛି । 

ରାଜ୍ୟସରକାର ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ଅସନ୍ତୁଷ୍ଟ ବିଜେପି ନେତା ରବିବାର ନୟାଗଡ ଜିଲ୍ଲା ଯଦୁପୁରକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି । ସେପଟେ ଦିଲ୍ଲୀ ସ୍ଥିତ ଓଡିଶା ଭବନ ପାଖରେ ପରୀକୁ ନ୍ୟାୟ ଦାବିରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି ।