ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ । ଏସଆଇଟି କବଜାରେ ଅଭିଯୁକ୍ତ ।

322

କନକ ବ୍ୟୁରୋ: ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ବହୁଦିନ ଧରି ଗୋଟିଏ ଘଟଣାକୁ ନେଇ ବିବାଦ ଚାଲିବା ପରେ ପୋଲିସକୁ ମିଳିଛି ସଫଳତା । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ବଡ ସଫଳତା ପାଇଛି । ନୟାଗଡର ସେହି ଯଦୁପୁର ଗାଁରେ ଧରାପଡିଛି ଅଭିଯୁକ୍ତ । ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ ।

ତେବେ ଅଭିଯୁକ୍ତ ବିରୋଧରେ ୩୭୬ ଏ, ଅର୍ଥାତ୍ ଦୁଷ୍କର୍ମର ଧାରା ଲଗାଇଛି ଏସଆଇଟି । ଏହାଛଡା ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରିଥିବାରୁ ଅପହରଣର ଧାରା ୩୬୪ ମଧ୍ୟ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି । ଏହି ଧାରା ଅନୁସାରେ ଅଭିଯୋଗ ପ୍ରମାଣ ହେଲେ ସାଂଘାତିକ ଦଣ୍ଡରେ ଦଣ୍ଡିତ କରିପାରନ୍ତି କୋର୍ଟ ।

ସେପଟେ ଗତ ଜୁଲାଇ ମାସରେ ନୟାଗଡ ଯଦୁପୁର ଗାଁର ୫ ବର୍ଷୀୟ ପରୀକୁ ହତ୍ୟା କରାଯାଇଥିଲା । ମୃତ୍ୟୁର ୧୦ ଦିନ ପରେ ପରିବାର ଲୋକେ ପରୀର ମୃତଦେହ ପାଇଥିଲେ । କିନ୍ତୁ କିଏ ଏଭଳି ନିର୍ମମ କାଣ୍ଡ ଘଟାଇଲା ତାହାର ଟେର ପାଇ ପାରିଲା ନାହିଁ ପୋଲିସ । ଆଉ ଏହାକୁ ନେଇ ଜୋର ଧରିଲା ରାଜନୀତି । ଓଡିଶାର ପଲ୍ଲୀରୁ ଦେଶର ରାଜଧାନୀ ଦିଲ୍ଲୀ ଯାଏଁ ଏହି ରାଜନୀତି ଜୋର ଧରିଲା । ଏହାପରେ ସରକାର ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ ବା ଏସଆଇଟି ଗଠନ କରିଥିଲେ । ନଭେମ୍ୱର ୨୭ରେ ଏସଆଇଟି ଏହି ମାମଲାର ତଦନ୍ତଭାର ଦିଆଯାଇଥିଲ।।