ପରୀ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ କରିବ ଏସଆଇଟି: ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଗଠନ

ସିବିଆଇ ତଦନ୍ତ ଦାବି କଲା ବିଜେପି, ବାଚସ୍ପତିଙ୍କ ମାଇକ୍ ଓପାଡିଲେ ବିଧାୟକ ମୋହନ ମାଝୀ

139

କନକ ବ୍ୟୁରୋ: ‘ପରୀ’ ମୃତ୍ୟୁର ରହସ୍ୟ ଖୋଲିବ ଏସଆଇଟି ଟିମ୍ । ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଟିମ୍ କୁନି ଝିଅ ପରୀ ମୃତ୍ୟୁର ସତ ସାମ୍ନାକୁ ଆଣିବ । ହାଇକୋର୍ଟଙ୍କ ନିରୀକ୍ଷଣରେ ତଦନ୍ତ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନୁହେଁ ବିରୋଧୀ ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡି ବସିଥିବା ବିଜେପି ବିଧାୟକ ମୋହନ ମାଝି ଆଜି ବାଚସ୍ପତିଙ୍କ ମାଇକ୍କୁ ଓପାଡି ଦେଇଥିଲେ ।

ପରୀ ମୃତ୍ୟୁକୁ ନେଇ ଗୃହର ଭିତରେ ବାହାରେ ଜୋରଦାର ହଙ୍ଗାମା ପରେ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସଆଇଟି ଗଠନ କରାଯାଇ ଏହାରି ନେତୃତ୍ୱ ଦିଆଯାଇଛି ପାଟଣାଗଡ଼ ପାର୍ସଲ ବୋମାର ରହସ୍ୟ ଖୋଲିଥିବା ଆଇଜି ଅରୁଣ ବୋଥ୍ରାଙ୍କୁ । ତଦନ୍ତର ତତ୍ୱାବଧାନ ପାଇଁ ଜଣେ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ ହାଇକୋର୍ଟଙ୍କୁ ନିବେଦନ କରିଛି ଗୃହ ବିଭାଗ ।

‘ପରୀ’ ପାଇଁ ଏସ୍ଆଇଟି

ମୁଖ୍ୟ – ଆଇଜି ଅରୁଣ ବୋଥ୍ରା
ସଦସ୍ୟ – କ୍ରାଇମବ୍ରାଂଚ ଏସ୍ପି – ଆର.କେ ଦୋରା, ଏଏସ୍ପି – ଆର.ସି ଥମ୍ବ, ଇନ୍ସପେକ୍ଟର – ନରେନ୍ଦ୍ର ବେହେରା, ଇନ୍ସପେକ୍ଟର – ମମତାରାଣୀ ପଣ୍ଡା

ପରୀ ପାଇଁ ୫ ଦିନ ହେଲା ଅଚଳ ହୋଇ ପଡିଛି ବିଧାନସଭା । ହାଇକୋର୍ଟଙ୍କ ତତ୍ୱାବଧାନରେ ଏସ୍ଆଇଟି ତଦନ୍ତ ପାଇଁ ସରକାର ଘୋଷଣା କରିବା ପରେ ବି ସନ୍ତୁଷ୍ଟ ହୋଇନାହିଁ ବିଜେପି । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ପାଇଁ ଦାବି କରିଛି ଦଳ । ବ୍ୟାନର ଦେଖାଇ ପ୍ରତିବାଦ କରିବା ସହ ଗୃହରେ ହଙ୍ଗାମା କରିଛନ୍ତି ବିଜେପି ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢିବାକୁ ଉଦ୍ୟମ କରିବା ପରେ ବାଚସ୍ପତିଙ୍କ ମାଇକ୍କୁ ଓପାଡି ଦେଇଥିଲେ ବିଜେପି ବିଧାୟକ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ କରିବା ପାଇଁ ପଡିଥିଲା ବାଚସ୍ପତିଙ୍କୁ । ତେବେ ଏହି ହଟଗୋଳ ଭିତରେ ପଂଚାୟତିରାଜ ବିଭାଗର ଖର୍ଚ୍ଚଦାବି ପାରିତ ହେବା ସହ ଗିଲୋଟିନ୍ ମାଧ୍ୟମରେ ଅନ୍ୟ ବିଭାଗଗୁଡିକର ଅତିରିକ୍ତ ଖର୍ଚ୍ଚଦାବି ପାରିତ ହୋଇଛି ।