ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ମିଳିଥିଲା ସରକାରଙ୍କ ଚିଠି, ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ; ବିରୋଧୀଙ୍କ ଉପରେ ଗର୍ଜିଲା ବିଜେଡି

ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଲେ, ପରୀ ଅଭିଯୁକ୍ତକୁ ସମର୍ଥନ କରିଆସୁଛି ବିଜେପି...ମନଗଢ଼ା ଅଭିଯୋଗ ସହ ଚଳାଇଛି ଶସ୍ତା ରାଜନୀତି

162

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ମନିଟରିଂ ପାଇଁ ଜଣେ କାର୍ୟ୍ୟରତ ବିଚାରପତି ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ୧୬ ତାରିଖ ଦିନ ଆଉ ଏକ ଚିଠି ଲେଖି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଜଣାଇଛନ୍ତି ଯେ ଡିସେମ୍ବର ପହିଲା ଦିନ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନଭେମ୍ବର ୨୮ ତାରିଖରେ ପଠାଯାଇଥିବା ଚିଠି କୁଆଡେ ଗଲା ବୋଲି ବିଭିନ୍ନ ମହଲରେ ଯେଉଁ ସଂଶୟ ପ୍ରକାଶ ପାଇଥିଲା, ତା’ର ପରିସମାପ୍ତି ଘଟିଛି।

ଅନ୍ୟପକ୍ଷରେ ଗତକାଲି ବିଜେଡି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ତିନିଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ପରୀ ହତ୍ୟା ଘଟଣାର ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ ସକାଶେ ୨୦୨୦ ନଭେମ୍ବର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ନଭେମ୍ବର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଅବଗତ କରିବା ସହିତ ତଦନ୍ତ ମନିଟରିଂ ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ହେଲେ ଓଡ଼ିଶା ବିଜେପି ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତକୁ ପ୍ରଥମ ଦିନରୁ ସମର୍ଥନ କରିଆସୁଛି। ମନଗଢ଼ା ଅଭିଯୋଗ ଓ ଶସ୍ତା ରାଜନୀତି ଚଳାଇଛି। ଓଡ଼ିଶା ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ନିମ୍ନସ୍ତରର ରାଜନୀତି କେବେ ବି ଦେଖିବାକୁ ମିଳିନଥିଲା ଯାହା ପରୀ ଘଟଣାରେ ଓଡ଼ିଶା ବିଜେପି ଦେଖାଉଛି। କେବଳ ସେତିକି ନୁହେଁ, ଓଡ଼ିଶାବାସୀ ରାଜ୍ୟ ବିଜେପିର ଏଭଳି ମନଗଢ଼ା ମିଥ୍ୟା ଆରୋପକୁ ପ୍ରତିଦିନ ଅନୁଧ୍ୟାନ କରିବା ସହିତ ଅତୀତରେ ବିଜେପିକୁ ଯେଭଳି ଶିକ୍ଷା ଦେଇଛନ୍ତି ପୁଣିଥରେ ତାହା ଦୋହରାଇବେ ବୋଲି ସେ କହିଛନ୍ତି।

ଉଲ୍ଲେଖଥାଉକି, ଗତ ୬ ତାରିଖ ଦିନ ଶ୍ରୀ ପଣ୍ଡାଙ୍କୁ ହାଇକୋର୍ଟ ଜନ ସୂଚନା ଅଧିକାରୀ ଦେଇଥିବା ତଥ୍ୟରେ କୁହାଯାଇଥିଲା ଯେ ତଦନ୍ତ ମନିଟରିଂ ପାଇଁ ରାଜ୍ୟ ସରକାରଙ୍କର ପତ୍ର ମିଳିନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଓ ବିଜେପି ପକ୍ଷରୁ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିକୁ ସମାଲୋଚନା କରିବା ସହିତ ସ୍ବାଧିକାର ଭଙ୍ଗ ନୋଟିସ୍ ପାଇଁ ଧମକ ଦେଇଥିଲେ। ରବିବାର ବିଜେଡି ପକ୍ଷରୁ ମୁଖପାତ୍ର ଈପ୍ସିତା ସାହୁ ଏହାର ଜବାବ ଦେଇ କହିଛନ୍ତି, ଯଦି ଲେଖାଶ୍ରୀଙ୍କର ଅଭିଯୁକ୍ତଙ୍କ ପାଇଁ ଏତେ ଲୁହ ଝରୁଛି, ତେବେ ସେ ଯାଇ କୋର୍ଟରେ ତାଙ୍କ ପାଇଁ ଲଢନ୍ତୁ। ଲେଖାଶ୍ରୀ ମାନସିକ ସନ୍ତୁଳନ ହରାଇଛନ୍ତି ଓ ହତାଶ ହୋଇ ଏଭଳି ବିବୃତି ଦେଇଛନ୍ତି।