କନକ ବ୍ୟୁରୋ: ନୟାଗଡ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତକୁ ନେଇ ସନ୍ତୁଷ୍ଟ ହୋଇନାହାନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଏହି ମାମଲାରେ ତଦନ୍ତ ବିଶେଷ କିଛି ଆଗେଇ ନାହିଁ । କୋର୍ଟଙ୍କୁ ମୁଦା ଲଫାପାରେ ରିପୋର୍ଟ ଦିଆଯାଇଛି । କିନ୍ତୁ ଅଭିଯୁକ୍ତକୁ ଧରିବା ଭଳି ତଦନ୍ତ, ଆଗେଇ ନଥିବା କୋର୍ଟ ଅନୁଭବ କରୁଛନ୍ତି । ତଥାପି ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ । ଏଥିପାଇଁ ପୁଣି ଥରେ ତଦନ୍ତ କେତେ ବାଟ ଆଗେଇଛି ସେ ନେଇ ପ୍ରୋଗ୍ରେସ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଗତକାଲି କୋର୍ଟରେ ଏସଆଇଟି ରିପୋର୍ଟ ଦାଖଲ ପରେ ଜଣାପଡିଥିଲା ଯେ ପରୀକୁ ଯୌନ ନିର୍ଯାତନା ଦେବା ପରେ ହତ୍ୟା କରାଯାଇଛି । ପରୀର ପୋଷାକରୁ ଏସଆଇଟି ସିମେନ୍ ପାଇଥିବା ନେଇ ମଧ୍ୟ ଖବର ଆସିଥିଲା । ଏହା ପରେ ତଦନ୍ତ ନିର୍ଣ୍ଣାୟକ ମୋଡରେ ପହଁଚିଗଲା ବୋଲି ସାଧାରଣରେ ଏକ ବାର୍ତା ଯାଇଥିଲା । କିନ୍ତୁ ଆଜି ହାଇକୋର୍ଟ ଏଭଳି ମନ୍ତବ୍ୟ ଦେବା ପରେ ପୁରା ଘଟଣାଟି ଗୋଳିଆ ହୋଇଗଲା ପରି ଲାଗୁଛି । ମୁଦା ଲଫାପାରେ ଦିଆଯାଇଥିବା ରିପୋର୍ଟକୁ କୋର୍ଟ ଭଲ ଭାବେ ତର୍ଜମା କରିବା ପରେ ତଦନ୍ତ ବିଶେଷ ଆଗେଇ ନଥିବା ବୋଲି ମନ୍ତବ୍ୟ ଦେବା ଏସଆଇଟିର ତଦନ୍ତ ଅଗ୍ରଗତି ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।