ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପଦଯାତ୍ରାର ଆଜି ଦ୍ୱିତୀୟ ଦିନ : ରାଜଧାନୀରୁ ନୟାଗଡ ଯଦୁପୁରକୁ ବାହାରିଛନ୍ତି ବିଜେପିର ତୁଙ୍ଗ ନେତା

ମନ୍ତ୍ରୀ ଅରୁଣ ସାହୁଙ୍କୁ ବରଖାସ୍ତ ଓ ସିବିଆଇ ତଦନ୍ତ ଦାବି; ଏପଟେ ଆଜି କମିଶନରେଟ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ କଂଗ୍ରେସ କର୍ମୀ

72

କନକ ବ୍ୟୁରୋ : ପରୀ ପାଇଁ ବିଜେପିର ମହାପଦଯାତ୍ରାର ଆଜି ଦ୍ୱିତୀୟ ଦିନ । ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟର ୧୪୭ ନିର୍ବାଚନମଣ୍ଡଳିରେ ପଦ ଯାତ୍ରା କରିବା ସହ ଭୁବନେଶ୍ୱରରୁ ପରୀର ଗାଁ ଯଦୁପୁରକୁ ଚାଲିବା ଆରମ୍ଭ କରିଛନ୍ତି ବିଜେପି ନେତା ଓ କର୍ମୀ । ଏଥିରେ ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବନତି ଶ୍ରୀନିବାସନ୍, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ତୁଙ୍ଗ ନେତା ଓ ଶହ ଶହ କର୍ମୀ ସାମିଲ ହୋଇଛନ୍ତି ।

୫ ଦିନରେ ମହାପଦଯାତ୍ରାରେ ବିଜେପି ଚାଲିବ ୧୦୦ କିମି । ଭୁବନେଶ୍ୱରରୁ ବାହାରିଥିବା ପଦଯାତ୍ରା ଆସନ୍ତା ୨୪ ତାରିଖରେ ପରୀର ଗାଁ ଯଦୁପୁରରେ ପହଁଚିବ । ସେହିଦିନ ଯଦୁପୁର ଗାଁରେ ବିଶାଳ ସମାବେଶ ଆୟୋଜନ କରିବ ଦଳ । ସିବିଆଇ ତଦନ୍ତ ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି । ଗତକାଲି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦ ଯାତ୍ରା ଯାଆଁଳାରେ ପହଂଚିଥିଲା, ଆଜି ଯାଆଁଳାରୁ ପୁଣି ପଦଯାତ୍ରା ନୟାଗଡ ଅଭିମୁଖେ ବାହାରିବ ।

ନୟାଗଡ ପରୀ ହତ୍ୟାକାଣ୍ଡକୁ ନେଇ ଆଜି ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ ଶାନ୍ତିପୂର୍ଣ୍ଣ ଧାରଣା ଦେବ ଜିଲ୍ଲା କଂଗ୍ରେସ । ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ ଏବଂ ହତ୍ୟା ଘଟଣା ବୃଦ୍ଧି ପାଉଥିବା ବେଳେ ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି । ଏହାର ପ୍ରତିବାଦରେ ପୋଲିସ କମିଶନର କାର୍ଯ୍ୟାଳୟ ନିକଟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ । ଗତକାଲି ଜିଲ୍ଳା କଂଗ୍ରେସ କମିଟି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି । ମଶାଲ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାଟିଂନ ପରିକ୍ରମା କରିଥିଲା ।