‘ପରୀ’ ପିଶାଚ ଧରିବାକୁ ନୟାଗଡରେ ଅରୁଣ ବୋଥ୍ରା । ମୃତଦେହ ମିଳିଥିବା ସ୍ଥାନରେ ଖୋଜୁଛନ୍ତି ଖିଅ, ଫିଟିପାରେ ରହସ୍ୟ ?

447

କନକ ବ୍ୟୁରୋ: ନୟାଗଡରେ ପହଞ୍ଚିଲେ ଅରୁଣ ବୋଥ୍ରା । ପରୀ ମୃତ୍ୟୁ ମାମଲାର ଖୋଳତାଡ ପାଇଁ ନୟାଗଡରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ନୟାଗଡ ଯଦୁପୁର ଗାଁକୁ ଯାଇ ଅରୁଣ କରୁଛନ୍ତି ତଦନ୍ତ । ଯେଉଁ ଜାଗାରେ ପରୀର ମୃତଦେହ ମିଳିଥିଲା ସେହି ସ୍ଥାନରେ ସୁରାକ ଖୋଜୁଛନ୍ତି ଏସଆଇଟି ମୁଖ୍ୟ ବୋଥ୍ରା । ତେବେ ପରୀ ମୃତ୍ୟୁ ରହସ୍ୟ ଫିଟାଇବାକୁ ଗଠନ ହୋଇଛି ଏସଆଇଟି । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ହାଇକୋର୍ଟଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ରାଜ୍ୟ ସରକାର । ବଛା ବଛା ଅଫିସରଙ୍କୁ ନେଇ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଢାଯାଇଛି ।

ସେପଟେ ପରୀକୁ ନ୍ୟାୟ ଦାବିରେ ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଆଗରେ ଆଜି ଏବିଭିପି ବିକ୍ଷୋଭ କରିଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତ ଏବିଭିପି କର୍ମକର୍ତ୍ତା । ପରୀ ମୃତ୍ୟୁ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଛି । ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଦାବି କରାଯାଇଛି । ହାତରେ ବ୍ୟାନର ଧରି ମନ୍ତ୍ରୀଙ୍କ ଘର ଆଗରେ ନାରାବାଜି ଦେଉଥିବା ବେଳେ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇନେଇଥିଲା ।

ଅନ୍ୟପଟେ ପରୀ ମୃତ୍ୟୁ ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ପରେ ବି ଏହି ମାମଲା ଥମିବାର ନାଁ ନେଉନି । ଗତକାଲି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁରେ ପରୀ ବାପା ମାଆଙ୍କୁ ଭେଟିବା ପରେ ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ଏସଆଇଟି ନୁହେଁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହା ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ବିଜେପି । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି ।