ଲାଏ ଡିଟେକ୍ସନ ବେଳେ ପରୀକୁ ହତ୍ୟା ସଂପର୍କରେ କହିଥିଲା ଅଭିଯୁକ୍ତ । ଅଡିଓ ଭିଜୁଆଲ ମାଧ୍ୟମରେ ରେକର୍ଡ ହୋଇ ରହିଛି ସଂପୂର୍ଣ୍ଣ ସ୍ୱୀକାରୋକ୍ତି । ପ୍ରମାଣ ଭାବେ କୋର୍ଟରେ ଦାଖଲ କରିବ ଏସଆଇଟି

566

କନକ ବ୍ୟୁରୋ : ସାରା ରାଜ୍ୟରେ ଚହଳ ପକାଇଥିବା, କୁନି ଝିଅ ପରୀ ହତ୍ୟା ଘଟଣାରେ କ୍ରାଇମବ୍ରାଂଚ ତଦନ୍ତର ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏହି ନାବାଳକ ସରୋଜ ସେଠୀ ଏହି ଚାଂଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ନିଷ୍କର୍ସରେ ପହଂଚିଛି କ୍ରାଇମବ୍ରାଞ୍ଚ ।

କୋର୍ଟରେ ଚାର୍ଜସିଟ୍ ଦାଖଲ କରି ପୁଲିସ କହିଛି, ଅଭିଯୁକ୍ତ ନାବାଳକ ହତ୍ୟା କରିବା ଏବଂ ପରୀର ମୃତଦେହକୁ ବସ୍ତାରେ ପୁରାଇ ଫିଙ୍ଗି ଦେବା ଘଟଣାକୁ ସ୍ୱୀକାର କରିଛି । ଲାଇ ଡିଟେକ୍ସନ୍ ଟେଷ୍ଟ ସମୟରେ ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତ ସବୁ କଥା କୁଆଡେ କହି ଦେଇଥିଲା । ଏହାର ଭିଡିଓ ଓ ଅଡିଓ ପୁଲିସ ରେକର୍ଡ କରିଛି । ଆଜି ଚାର୍ଜସିଟ୍ରେ ଏହି ସ୍ୱୀକାରୋକ୍ତିକୁ ପୁଲିସ କୋର୍ଟରେ ପ୍ରମୁଖ ପ୍ରମାଣ ହିସାବରେ ଦାଖଲ କରିଛି ।

ଏହାଛଡା ଅନ୍ୟ ସମସ୍ତ ପ୍ରମାଣ ପୁଲିସ କୋର୍ଟରେ ଦାଖଲ କରିଛି । କେମିତି ତା ଉପରେ ସନ୍ଦେହ ହୋଇଥିଲା, କେମିତି ଧିରେ ଧିରେ ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିଲା, ଏ ପୁରା କାହାଣୀ, ୯ ପୃଷ୍ଠାର ଚାର୍ଜସିଟ୍ରେ ପୁଲିସ ବୟାନ କରିଛି । ପଲିଗ୍ରାଫ୍ ଟେଷ୍ଟରେ ମଧ୍ୟ ପରୀ ହତ୍ୟା ସଂପର୍କୀତ ସମସ୍ତ ପ୍ରଶ୍ନର ଉତର ମିଛ ଦେଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ଅଛି । ଯାହାକି ଅଭିଯୁକ୍ତ ବିରୋଧରେ ଆଉ ଏକ ବଡ ପ୍ରମାଣ ।

ଚାର୍ଜସିଟରେ କଣ ଅଛି?

୧.ମୃତ ପରୀର ଫ୍ରକରେ ପୁରୁଷର ସିମେନ ମିଳିଥିଲା । ତେଣୁ ଏହା ଦୁଷ୍କର୍ମ ଓ ହତ୍ୟା ବୋଲି ପୋଲିସ ଜାଣିପାରିଥିଲା ।

୨.ପରୀ ଘରକୁ ନାବାଳକ ଅଭିଯୁକ୍ତ ଯାଏ ଏବଂ ପୋଲିସର ପ୍ରଶ୍ନକୁ ବାରମ୍ବାର ଏଡାଇ ଯିବା ପରେ ଅଭିଯୁକ୍ତ ଉପରେ ପୋଲିସର ସନ୍ଦେହ ବଢିଥିଲା

୩. ପଲିଗ୍ରାଫ ଟେଷ୍ଟରେ ଅଭିଯୁକ୍ତ,ପରୀ ହତ୍ୟା ସମ୍ପର୍କିତ ସମସ୍ତ ପ୍ରଶ୍ନର ମିଛ ଉତର ଦେଇଥିଲା

୪. ଲାଇ ଡିଟେକସନ ଟେଷ୍ଟ ସମୟରେ ସେଠାରେ ଥିବା ଲୋକଙ୍କ ଆଗରେ ସତ ମାନିଯାଇଥିଲା ଅଭିଯୁକ୍ତ । ଏହାର ଭିଡିଓ ଓ ଅଡିଓ ପ୍ରମାଣ ରହିଛି ।

୫. ହତ୍ୟା ଦିନ ଅଭିଯୁକ୍ତର ଘରକୁ ପରୀ ପ୍ରବେଶ କରୁଥିବା ସମୟରେ କିଛି ଲୋକ ଦେଖିଛନ୍ତି ଏବଂ ସେମାନେ ପୋଲିସକୁ ବୟାନ ଦେଇଛନ୍ତି ।

୬. ହତ୍ୟା ପରେ ଏକ ବସ୍ତା ଧରି ଅଭିଯୁକ୍ତ ଘର ବାହାରକୁ ଆସୁଥିବା ବେଳେ କିଛି ଲୋକ ଦେଖିଛନ୍ତି ଏବଂ ସେମାନେ ପୋଲିସକୁ ବୟାନ ଦେଇଛନ୍ତି ।

୭. ବସ୍ତାକୁ ବାନ୍ଧିବା ପାଇଁ ବ୍ୟବହାର କରାଯାଇଥିବା ଜିଆଇ ତାର, ଲେଗିଙ୍ଗସ, ଗାମୁଛା ଜବତ ହୋଇଛି ।

୮. ପରୀର ଶରୀରକୁ ନଷ୍ଟ କରିବା ପାଇଁ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ହୋଇନାହିଁ ।

୯. ଜବତ ହେବା ବେଳକୁ ପରୀର ଶରୀର ଗଳିତ ଅବସ୍ଥାକୁ ଚାଲିଆସିଥିଲା ।

୧୦. ମୁଣ୍ଡ ଶରୀରଠାରୁ ଅଲଗା ଥିଲା କିନ୍ତୁ ବାକି ସବୁ ଅଙ୍ଗପ୍ରତ୍ୟଙ୍ଗର ହାଡ ଯୋଡା ଥିଲା ବୋଲି ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।