ନାବାଳକ ହେଲେ ବି ପରୀ ହତ୍ୟାକରୀକୁ ମିଳିନପାରେ ନିସ୍ତାର । ନିର୍ଭୟାକାଣ୍ଡ ପରେ ବଦଳିଛି ଜୁଭେନାଇଲ ଆକ୍ଟ । ୧୬ରୁ ୧୮ ବର୍ଷର ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରିପାରିବେ ବିଚାରପତି ।

394

କନକ ବ୍ୟୁରୋ : କୁନି ଝିଅ ପରୀକୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଯାଇଛି, ଏହାକୁ ନେଇ ସାଧାରଣରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଭଳି ଜଘନ୍ୟ କାର୍ଯ୍ୟ କରିଥିବା ସଇତାନ କ’ଣ ଦଣ୍ଡ ପାଇବ, ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଅଭିଯୁକ୍ତ ସରୋଜ ସେଠୀଙ୍କ ବିରୋଧରେ ଲାଗିଛି ବିଭିନ୍ନ ଦଫା । ୩୭୬ ଏ ଦୁଷ୍କର୍ମର୍, ୩୭୬ (ଏ,ବି) ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମ, ୩୬୪ ଅପହରଣ, ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ) । ଏହା ସହ ଅଭିଯୁକ୍ତ ବିରୋଧରେ ଲାଗିଛି ପକସୋ ଆକ୍ଟର ଧାରା ୬ ।

ଏହିସବୁ ଦଫାରେ ରହିଛି କଠୋର ଦଣ୍ଡ ବ୍ୟବସ୍ଥା । ଅଭିଯୁକ୍ତ ସରୋଜ ସେଠୀ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ ଠାରୁ ଫାଶୀ ପର୍ଯ୍ୟନ୍ତ ଦଣ୍ଡ ବିଧାନ ରହିଛି । ତେବେ ଅଭିଯୁକ୍ତ ସାବାଳକ କି ନାବାଳକ, ଏ ନେଇ ଦ୍ୱନ୍ଦ୍ୱ ରହିଛି । ସରୋଜ ସେଠୀକୁ ୧୮ ବର୍ଷ, ସେ ସାବାଳକ ବୋଲି ଏସଆଇଟି ଦର୍ଶାଉଥିବା ବେଳେ କୋର୍ଟରେ ତାଙ୍କ ଓକିଲ ନାବାଳକ ବୋଲି ଯୁକ୍ତି ବାଢ଼ିପାରନ୍ତି ।

ତେବେ ନିର୍ଭୟା ହତ୍ୟାକାଣ୍ଡ ପରେ ଜୁଭେନାଇଲ୍ ଆକ୍ଟରେ ପରିବର୍ତନ ଆସିଛି । ଅଭିଯୁକ୍ତର ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ ଏବଂ ଜଘନ୍ୟ ଅପରାଧ ପ୍ରମାଣିତ ହେଲେ ଅଭିଯୁକ୍ତକୁ ସାବାଳକ ଭାବେ ବିବେଚନା କରି କଠୋର ଦଣ୍ଡବିଧାନ କରିପାରନ୍ତି ବିଚାରପତି । ଜୁଭେନାଇଲ୍ ଆକ୍ଟରେ ପରିବର୍ତନ ହୋଇଥିବାରୁ ଅଭିଯୁକ୍ତ ସରୋଜ ସେଠୀ ଦୋଷୀ ସାବ୍ୟସ୍ତ ହେଲେ ଆଇନ ହାତରୁ ଖସିବା ମୁସ୍କିଲ ହୋଇପଡିବ ।