ଧନରେ ତୁ ଆମକୁ ଛାଡି କୁଆଡେ ଗଲୁରେ…? କରୋନାରେ ପୁଅ ଆଖିବୁଜିବା ପରେ ଆତ୍ମହତ୍ୟା କଲେ ବାପାମାଆ । ସ୍ନେହ ପାଇଁ ମୃତ୍ୟୁର ଫାଶରେ ଜୀବନ ଟଙ୍ଗେଇ ଦେବା ପରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର… ସାରା ଓଡିଶାକୁ କନ୍ଦେଇ ଦେଲା କବିସୂର୍ଯ୍ୟନଗରର କରୁଣ କାହାଣୀ…

1,361

କନକ ବ୍ୟୁରୋ: କରୋନା ପୋଛିଦେଲା ପରିବାର । ଆଖିବୁଜିଲା ପୁଅ, ଆତ୍ମହତ୍ୟା କଲେ ବାପାମାଆ । ପୁଅ ପାଇଁ ଜୀବନ ହାରିଲେ ବାପା ମାଆ । କରୋନାର କାଳ ଫାଶରେ ଫସି ପୁଅ ଆଖିବୁଜିବା ପରେ ମୃତ୍ୟୁର ଦଉଡିରେ ନିଜକୁ ବାନ୍ଧି ଦେଇଥିଲେ ବାପାମାଆ । ଆଉ ବାଛି ନେଇଥିଲେ ଆତ୍ମହତ୍ୟାର ଅଫେରା ରାସ୍ତା । ବାପା ବରଗଛରେ ନିଜ ଜୀବନକୁ ଟଙ୍ଗେଇ ଦେଇଥିଲେ ଆଉ ମାଆ ଘର ଭିତରେ । ଏକୋଇର ବୋଳା ବିଶିକେଶନ ଆଖିଠୁ ଦୂରେଇଗଲା ପରେ ବାପାମାଆ ବି ଜୀବନକୁ ଦୂରେଇ ଦେଇ ପୁଅ ପଛେପଛେ ଚାଲିଯାଇଥିଲେ । ଆଉ ତାପରେ ମାଟିରେ ମିଶିଗଲା ସ୍ନେହ ମମତାର ସମ୍ପର୍କ, ନିଶ୍ଚିହ୍ନ ହୋଇଗଲା ଗୋଟେ ହସଖୁସିର ପରିବାର…

କରୋନା କାଳରେ କବିସୂର୍ଯ୍ୟନଗରରୁ ଆସିଥିବା ଏ କରୁଣ କାହାଣୀ ସମସ୍ତଙ୍କୁ କନ୍ଦେଇ ଦେଇଛି । କରୋନା କେମିତି ଗୋଟିଏ ସୁଖି ପରିବାରକୁ ଶ୍ମଶାନ କରିଦେଇଛି ହୁଏତ ଆଖିବୁଝି ନଭାବିଲେ ଆପଣ ହୃଦୟବିଦାରକ ଘଟଣାକୁ ହୃଦୟଙ୍ଗମ କରିପାରିବେନି ।

କବିସୂର୍ଯ୍ୟନଗର ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ସୁନାରୀଝୋଲାରେ ଶିକ୍ଷକ ଭାବେ କାର୍ଯ୍ୟକରୁଥିଲେ । କରୋନା ପାଇଁ ସେ ସଙ୍ଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଭାବେ ଦାୟିତ୍ୱରେ ଥିଲେ । ତେବେ ଗତ ୧ ତାରିଖ ଦିନ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି କରିବା ପରେ ନମୂନା ପଜିଟିଭ ଆସିଥିଲା ଏବଂ ପରେ ମୃତ୍ୟୁ ହୋଇଥିଲା । ତେବେ ୨୭ ବର୍ଷୀୟ ପୁଅର ମୃତ୍ୟୁ ଖବର ଶୁଣି ସ୍ତବ୍ଧ ହୋଇଥିଲେ ବାପାମାଆ ଆଉ ବାଛିଥିଲେ ଆତ୍ମହତ୍ୟାର ବାଟ ।

ସେପଟେ କବିସୂର୍ଯ୍ୟନଗରର ଆଉ ଏକ ଘଟଣା ଛାତିକୁ ଓଦା କରିଦେଇଛି । ପୁଅ କରୋନା ପଜିଟିଭ ଶୁଣି ବାପା ହୃଦଘାତରେ ପ୍ରାଣ ହରାଇଛନ୍ତି । ସଂକ୍ରମଣ ପାଇଁ ସବୁଠି ଏବେ ସନ୍ଦେହର ଶିକୁଳି । ଯେଉଁଠି ଯିଏ ଆକ୍ରାନ୍ତ ହେଉଛି ତାକୁ ଲୋକେ ଆଡ ଆଖିରେ ବି ଦେଖୁ ନାହାନ୍ତି । ଏପରି ସ୍ଥଳରେ ପୁଅ ଯେତେବେଳେ କରୋନା ସଂକ୍ରମିତ ହୋଇଛନ୍ତି ସେତେବେଳେ ସମାଜର ସନ୍ଦେହକୁ ଆଖି ଆଗରେ ରଖି ହୁଏତ ଏ ବାପା ଜଣଙ୍କ ହୃଦଘାତରେ ପ୍ରାଣ ହରାଇଥିବେ । ତେବେ ମୃତ୍ୟୁ ଠାରୁ ବଳିଯାଇଥିଲା ସମ୍ପର୍କୀୟଙ୍କ କୁତ୍ସିତ ମାନସିକତା । ପୁଅ ପଜିଟିଭ ପରେ ମୃତ ବାପାକୁ କେହି ଛୁଇଁନଥିଲେ । ତେବେ କବିସୂର୍ଯ୍ୟନଗରର ଏ ଦୁଇ ଦୁଇଟି ହୃଦୟଥରା ଘଟଣା ସ୍ପଷ୍ଟ ସୂଚାଉଛି କି କରୋନା ନୁହେଁ ବରଂ ମଣିଷକୁ ମାରିଦେଉଛି ମାନସିକ ଚାପ ।