କନକ ବ୍ୟୁରୋ: କୋଳରେ ଅସୁସ୍ଥ ଶିଶୁ ପୁତ୍ର । କାନ୍ଦୁଛନ୍ତି ବାପା-ମା’ । ସେହି ଅସୁସ୍ଥ ପୁଅକୁ କୋଳରେ ଧରି ଧାରଣାରେ ବସିଛନ୍ତି ବାପା-ମା’ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା କଲେଜରେ । କଲେଜ ପ୍ରିନ୍ସିପାଲ ଚାମ୍ବର ସାମ୍ନାରେ ଧାରଣାରେ ବସିଛନ୍ତି ଦେବାଶିଷ ବାରିକ । ଦେବାଶିଷ କଲେଜରେ ଡାଟା ଏଂଟ୍ରି ଭାବେ କାମ କରିଆସୁଛନ୍ତି । ହେଲେ ୧୯ ମାସ ହେଲା ତାଙ୍କୁ ଦରମା ମିଳିନାହିଁ । ଦରମା ମିଳିନଥିବାରୁ ସେ ପ୍ରିନ୍ସିପାଲଙ୍କ ଚାମ୍ବର ଆଗରେ ଧାରଣା ଦେଇଛନ୍ତି । ସେ ଅଭିଯୋଗ ଆଣିଛନ୍ତି କଲେଜ ପ୍ରିନ୍ସିପାଲ ଗୋପାଳ ଚନ୍ଦ୍ର ବେହେରା ତାଙ୍କୁ ଅନେକଥର ବେଆଇନ୍ କାମ କରିବାକୁ ବାଧ୍ୟ କରନ୍ତି । ଦରମା ପ୍ରିନ୍ସିପାଲଙ୍କୁ ବାରମ୍ବାର ଗୁହାରି କରିଥିଲେ ବି ଏଯାଏଁ ତାଙ୍କୁ ଦରମା ପ୍ରଦାନ କରାଯାଇନାହିଁ । ସେପଟେ ଦେବାଶିଷଙ୍କ ପୁଅ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଏପରି ସ୍ଥିତିରେ ନିଜର ପ୍ରାପ୍ୟ ପାଇବା ଦାବିରେ ଦେବାଶିଷ କଲେଜ ପ୍ରିନ୍ସିପାଲଙ୍କ ଚାମ୍ବର ଆଗରେ ଆମରଣ ଅନଶନରେ ବସିଛନ୍ତି । କଲେଜ ପରିଚାଳନା କମିଟି ପକ୍ଷରୁ ଏହି ଦରମା ଦିଆଯିବାର ନିୟମ ରହିଥିଲେ ବି ପ୍ରିନ୍ସିପାଲ ଦରମା ଦେଉନଥିବାର ସାଂଘାତିକ ଅଭିଯୋଗ ଆସିଛି । ସେପଟେ ଏ ସମ୍ବନ୍ଧରେ ପ୍ରିନ୍ସିପାଲ ସାମ୍ସ ଉପରକୁ ସବୁ ଦୋଷ ଠେଲି ଦେଇଛନ୍ତି ।