ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅଭିଭାବକଙ୍କ ଧାରଣା : ଘରୋଇ ସ୍କୁଲ ଫି ବିବାଦରେ ହସ୍ତକ୍ଷେପ ଦାବି

547

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଘରୋଇ ସ୍କୁଲର ଅଭିଭାବକଙ୍କ ଧାରଣା । ଘଂଟ ହୁଳହୁଳି ପକାଇ ବିକ୍ଷୋଭ ପ୍ରଦର୍ଶନ କଲେ ଘରୋଇ ସ୍କୁଲରେ ପିଲାଙ୍କୁ ପାଠ ପଢାଉଥିବା ଅଭଭାବକ । ଘରୋଇ ସ୍କୁଲରେ ଫି’ ବିବାଦରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷପ କରିବା ପାଇଁ ଅଭିଭାବକ ସଂଘ ଦାବି କରିଛନ୍ତି । ମହାମାରୀ କରୋନା ଭୟରେ ପ୍ରାୟ ୯ ମାସ ହେବ ବିଦ୍ୟାଳୟ ବନ୍ଦ ରହିଛି । ଅନଲାଇନରେ ପାଠପଢା ହେଉଛି । ଏବଂ ଯେଉଁ ଅଭିଭାବକମାନେ ସ୍କୁଲରେ ଫି ଦେଇ ପାରିନାହାନ୍ତି, ସେମାନଙ୍କ ପିଲାଙ୍କୁ ଅନଲାଇନ୍ କ୍ଲାସରୁ ବାହାର କରି ଦିଆଯାଉଛି ।

ତେଣୁ ଘରୋଇ ସ୍କୁଲ ଫି ଉପରେ ସରକାର ଅଂକୁଶ ଲଗାଇବାକୁ ଦାବି ହୋଇଛି । ଘରୋଇ ସ୍କୁଲର ଫି ବିବାଦ ହାଇକୋର୍ଟରେ ପହଂଚିଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଘରୋଇ ସ୍କୁଲ ଫି ନିର୍ଦ୍ଧାରଣ ଉପରେ ସରକାରଙ୍କ କୌଣସି ଆଇନ୍ ନାହିଁ । ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ତେବେ ଅନ୍ୟ ରାଜ୍ୟରେ ଘରୋଇ ସ୍କୁଲ ଉପରେ ସରକାରଙ୍କ ଅଙ୍କୁଶ ଥିବା ବେଳେ ଓଡିଶାରେ କାହିଁକି ନାହିଁ ବୋଲି ଅଭିଭାବକ ସଂଘ ପ୍ରଶ୍ନ କରିଛନ୍ତି ।