ପରୀ ମା’ ଗଲେ ସୁପ୍ରିମକୋର୍ଟ । ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସର୍ବୋଚ୍ଚ ଅଦାଲତରେ ଆବେଦନ କଲେ ସୌଦାମିନି ସାହୁ । କହିଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ସୁପ୍ରିମକୋର୍ଟ

104

କନକ ବ୍ୟୁରେ : ଶେଷରେ ଏସଆଇଟି ତଦନ୍ତ ଉପରୁ ଆସ୍ଥା ହରାଇ ପରୀ ମା ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସେ ଉଚ୍ଚନ୍ୟାୟଳରେ ଆବେଦନ କରି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । କହିରଖୁ କି ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ପରି ହତ୍ୟା ମାମଲା ଏବେ ରୋଚକ ମୋଡରେ ପହଂଚିଛି । ରାଜ୍ୟସରକାରଙ୍କ ଏସଆଇଟି ତଦନ୍ତକୁ ଭରଶା କରିପାରି ନାହାନ୍ତି ହତ୍ୟାର ଶିକାର ହୋଇଥିବା ନାବାଳିକା ପରୀର ପରିବାର ଲୋକେ । ଏନେଇ ସେମାନେ ସିବିଆଇ ତଦନ୍ତ ଦାବି କରି ସୁପ୍ରମିକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ସୂଚନା ଥାଉକି ନାବାଳିକା ପରି କିଛି ମାସ ପୂର୍ବରୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା । ଏନେଇ ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ମଧ୍ୟ ପରୀର କିଛି ସନ୍ଧାନ ମିଳି ନଥିଲା । ଏନେଇ ଥାନାରେ ଅଭିଯୋଗ ପରେ ବି ସନ୍ଧାନ ମିଳି ନଥିଲା । ପରୀ ନିଖୋଜ ହେବାର ୧୦ ଦିନ ପରେ ନିକଟସ୍ଥ ଏକ ପୋଖରୀ ନିକଟରୁ ପରୀର ମୃତ ଦେହ ଉଦ୍ଧାର ହୋଇଥିଲା । ଏହା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା । ଶେଷରେ ରାଜ୍ୟ ସରକାର ଏହି ମାମଲାରେ ହତ୍ୟାକାରୀଙ୍କୁ ଧରିବାକୁ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏବେ ଏସଆଇଟି ପରୀ ହତ୍ୟା ମାମଲାର ସରୋଜ ସେଠୀ ନାମକ ଜଣେ ନାବାଳକକୁ ଗିରଫ୍ କରିଥିବା ବେଳେ ପରୀର ପରିବାର ଲୋକେ ସରୋଜକୁ ହତ୍ୟାକାରୀ ଭାବେ ଗ୍ରହଣ କରିପାରୁ ନାହାନ୍ତି ।