ମୋତେ ରକ୍ଷା କର… କରୋନା ପାଇଁ ଜାପାନ ସମୁଦ୍ରରେ ଜଳବନ୍ଦୀ ଓଡ଼ିଆ ଯନ୍ତ୍ରୀ । ଭିଡିଓ ଛାଡି ଗୁହାରୀ କଲେ ବ୍ରହ୍ମପୁରର ଶିବାଶିଷ ନାୟକ । ପୁଅର ନିବେଦନ ଦେଖି ପରିବାର ଆଖିରୁ ନିଗିଡି ପଡିଲା ଲୁହ… ଜାହାଜରେ ଫଶିଛନ୍ତି ୧୪୦ ଭାରତୀୟ

5,919

କନକ ବ୍ୟୁରୋ: ଜାପାନରେ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫଶି ରହିଛନ୍ତି ଓଡ଼ିଆ ଇଂଜିନିୟର ଶିବାଶିଷ ନାୟକ । ଜାହାଜରେ ଥିବା ୬୨୧ ଜଣ ନଭେଲ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ଜାପାନର ୟୋକୋହମା ଜଳସୀମାରେ ଏହି ଜାହାଜ ଅଟକି ରହିଛି । ଶିବାଶିଷଙ୍କ ରକ୍ତ ନମୂନା ନେଗେଟିଭ୍ ଥିବା ସତ୍ୱେ କେବେ ସେ ଘରକୁ ଫେରିବେ, ଏ ନେଇ ଆଶଙ୍କା ଭିତରେ ରହିଛନ୍ତି । ଯାହାର ରକ୍ତ ନମୂନା ନେଗେଟିଭ୍ ଥିବ, ସେମାନଙ୍କୁ ଫେବ୍ରୁଆରୀ ୧୯ ତାରିଖ ଅର୍ଥାତ ଆଜି ଜାହାଜରୁ ମୁକ୍ତ କରାଯିବ ବୋଲି କହିଥିଲେ ଜାପାନ ସରକାର । ତେବେ ଜାପାନ ସରକାର ନିଷ୍ପତ୍ତି ବଦଳାଇବା ପରେ ଚିନ୍ତାରେ ପଡିଛନ୍ତି ଶିବାଶିଷ ।

ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଥିବା ଯାତ୍ରୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ଅଟକ ହୋଇ ରହିଛନ୍ତି ଜାହାଜ ଭିତରେ । ଜାହାଜରେ ଥିବା ୩୭୧୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୨୧ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରେ ୬ ଜଣ ଭାରତୀୟ ଅଛନ୍ତି । ଶିବାଶିଷଙ୍କ ରକ୍ତ ନମୂନା ନେଗେଟିଭ ଆସିଛି । ଜାପାନ ସରକାର ବାରମ୍ବାର ନିଷ୍ପତି ବଦଳାଉଥିବାରୁ କେବେ ଜାହାଜରୁ ମୁକ୍ତି ମିଳିବ, ଏନେଇ ଆଶଙ୍କା ଭିତରେ ଅଛନ୍ତି ଶିବାଶିଷ । ଖାଲି ଶିବାଶିଷ ନୁହଁନ୍ତି ତାଙ୍କ ସହ ୧୪୨ ଜଣ ଭାରତୀୟ ଫସି ରହିଛନ୍ତି ଜାହାଜରେ ।

ପୂର୍ବରୁ ୧୪ ଦିନ ପରେ ଯେଉଁମାନଙ୍କ ରକ୍ତ ନମୂନା ନେଗେଟିଭ୍ ସେମାନଙ୍କୁ ଛଡ଼ାଯିବ ବୋଲି କହିଥିଲା ଜାପାନ । ୧୯ ତାରିଖ ଦିନ ୧୪ ଦିନର ସମୟ ଶେଷ ପରେ ବି ଆଶଙ୍କା ଭିତରେ ରହିଛନ୍ତି ଶିବାଶିଷ । ଅନ୍ୟପଟେ ବ୍ରହ୍ମପୁରରେ ପୁଅର ଫେରିବା ବାଟକୁ ଚାହିଁ ଆଖିରୁ ଲୁହ ଗଡାଉଛନ୍ତି ଶିବାଶିଷଙ୍କ ପରିବାର । ଶିବାଶିଷଙ୍କୁ ଫେରାଇ ଆଣିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି ବାପା-ମାଆ ।

ଶିବାଶିଷ ଗୁରଗାଓଁ ଠାରେ ହ୍ୟୁଗସ ସାଇସଟେକ ପ୍ରାଇଭେଟ ଲିମିଟେଡରେ ଜଣେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିଲେ । କମ୍ପାନୀ ପକ୍ଷରୁ ଜାନୁଆରୀ ୧୦ ତାରିଖରୁ ୫ ଜଣ ସହଯୋଗୀଙ୍କ ସହ ୪୫ ଦିନ ପାଇଁ ଡାଇମଣ୍ଡ ପ୍ରିନସେସ୍ କ୍ରୁଜରେ ଯାଉଥିଲେ ଶିବାଶିଷ ।