କନକ ବ୍ୟୁରୋ : ପୁଅର ଚିକିତ୍ସା ପାଇଁ ବୃଦ୍ଧା ମା ବାପାଙ୍କ ଆକୁଳ ନିବେଦନ । ମାନସିକ ବିକୃତ ପୁଅର ଉନ୍ନତ ଚିକିତ୍ସା ପାଇଁ ବାର ଦୁଆର ବୁଲୁଛନ୍ତି ବାପା-ମାଆ । ପୁଅ ଗୋଡ଼ ଓ ହାତରେ ଲୁହାର ଶିକୁଳି ପକାଇ ସହାୟତା ଯୋଗାଡ ପାଇଁ ଚେଷ୍ଟା କରୁଛନ୍ତି ବାପା ମା । ଏଭଳି ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ସ୍ଥିତ କେନାଲ ସାହିର ୮ ନମ୍ବର ୱାର୍ଡରେ ।
ଦୁଇଟି ପୁଅକୁ ନେଇ ଆଗକୁ ବଢୁଥିଲେ, ଉମରକୋଟ ଅଞ୍ଚଳର ଭକ ହରିଜନ ଓ ଅଞ୍ଜଳି ହରିଜନଙ୍କ ପରିବାର । ହେଲେ ହଠାତ୍ ଏଇ ପରିବାରକୁ ଢାଙ୍କି ଦେଲା ଦୁଃଖର କଳା ପାହାଡ । ଦୁଇ ବର୍ଷ ତଳେ ବଡ ପୁଅ ଆରପାରିକୁ ଚାଲି ଯିବା ପରେ ମାନସିକ ଭାରସ୍ୟାମ ହରାଇ ବସିଛି ସାନ ପୁଅ ରାଜୁ । ଏବେ ରାଜୁ ଗୋଡରେ ବେଡି ପକାଇ ରଖୁଛନ୍ତି ବାପା-ମାଆ । ମାନସିକ ବିକାରଗ୍ରସ୍ତ ପୁଅ, ଲୋକଙ୍କୁ ଦେଖିଲେ ମାରପିଟ୍ କରିବା ସହ ଜିନିଷ ପତ୍ର ଫିଙ୍ଗା ଫୋପଡା କରୁଛି । ତେଣୁ ଛାତିକୁ ପଥର କରି ପୁଅକୁ ଲୁହା ଜଞ୍ଜିରରେ ବାନ୍ଧି ରଖୁଛନ୍ତି ମାଆ ।
ରାଜୁର ଦେହ ଖରାପ ହେବା ପରେ ବାପା-ମା ତାକୁ ଉମରକୋଟ, କୋରାପୁଟ, ବ୍ରହ୍ମପୁର ଏମକେସିଜିକୁ ନେଇଥିଲେ । ଚିକିତ୍ସା ବାବଦରେ ପାଖରେ ଥିବା ସମସ୍ତ ସଂଚୟ ଖର୍ଚ୍ଚ କରିସାରିଛନ୍ତି । ଏବେ ଆଉ ପାଖରେ ଟଙ୍କାଟିଏ ନାହିଁ । ତେଣୁ ପୁଅ ଗୋଡ-ହାତରେ ଲୁହା ଶିକୁଳି ପକାଇ ସହାୟତା ପାଇଁ ବାର ଦୁଆର ବୁଲୁଛନ୍ତି ବାପା ଭକ–ମା’ ଅଞ୍ଜଳି । ରୋଜଗାର କ୍ଷମ ପୁଅ ଅସୁସ୍ଥ ହୋଇପଡିଥିବା ବେଳେ ତାର ଉନ୍ନତ ଚିକିତ୍ସା ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ରାଜୁର ବାପା-ମାଆ । ଯଦି ପ୍ରଶାସନ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରି ସହାୟତାର ହାତ ବଢ଼ାନ୍ତା, ତେବେ ପୁଅ ସୁସ୍ଥ ହୋଇପାରନ୍ତା ବୋଲି ବାପା-ମାଆ ଆଶା ରଖିଛନ୍ତି ।