ନଈ ଏପଟେ ଗାଁ ସେପଟେ ସ୍କୁଲ । ନଦୀ ଭିତରେ ପିଲାଙ୍କ ଲମ୍ବା ଧାଡ଼ି, ପାଠ ପଢିବା ପାଇଁ ପ୍ରତିଦିନ ପାଣି ପାରି ହେଉଛନ୍ତି କୋମଳମତି ଛାତ୍ରଛାତ୍ରୀ ।

335

କନକ ବ୍ୟୁରୋ : ପାଣି ପାରିହେଲେ ପାଠପଢା । କାରଣ ନଈ ଏପଟେ ଗାଁ ସେପଟେ ସ୍କୁଲ । ଦିନେ କି ୨ ଦିନ ନୁହେଁ ବର୍ଷ ବର୍ଷ ଧରି ୩ଟି ପଚାଂୟତବାସୀଙ୍କ ଉପରେ ଦାଉ ସାଧୁଛି କୁଲୁ ନଦୀ । ଖରା ହେଉ କି ବର୍ଷା, ନଦୀ ପାର ହେଲେ ପିଲାଙ୍କୁ ମିଳୁଛି ଶିକ୍ଷା । ନିଜର କାମ ଧନ୍ଧା ଛାଡ଼ି ପ୍ରତି ଦିନ ବାପା ମାଆ ବିପଦସଙ୍କୁଳ ଅବସ୍ଥାରେ ପିଲାଙ୍କୁ ନଦୀ ପାର କରାଉଛନ୍ତି । ଏବଂ ପାଠ ପଢ଼ା ସରିଲେ ପୁଣି ନଦୀ ପାର କରି ଘରକୁ ଆଣୁଛନ୍ତି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ବାନ୍ଧିରା ଗ୍ରାମରେ ।

ନଈ ଏପଟେ ଗାଁ ସେପଟେ ସ୍କୁଲ । ପାଣି ପାରି ହେଲେ ମିଳୁଛି ଶିକ୍ଷା । ନଦୀ ଭିତରେ ପିଲାଙ୍କ ଲମ୍ବା ଧାଡ଼ି । ବହିବସ୍ତାନୀକୁ ମୁଣ୍ଡାଇ ସ୍କୁଲ ବାହାରିଛନ୍ତି ଛାତ୍ରଛାତ୍ରୀ । କିଛି ପିଲା ବାପାଙ୍କ କାନ୍ଧରେ ବସି ପାଣି ପାରି ହେଉଥିବା ବେଳେ କାହାକୁ କାଖେଇ ନଦୀ ପାରି ହେଉଛନ୍ତି ମାଆ । ଜୀବନରେ ଜ୍ଞାନର ଆଲୋକ ପାଇଁ ଭବିଷ୍ୟତ ଗଢିବା ଆଶାରେ ଚାଲିଛି ସଘଂର୍ଷ । ଆଉ ବର୍ଷା ହେଲେ ସ୍କୁଲ ଯିବା ବନ୍ଦ । କୋରାପୁଟ ଜିଲ୍ଳା କୁନ୍ଦୁରା ବ୍ଳକ ବାନ୍ଧିରା ଗାଁ ସହ ୩ଟି ପଚାଂୟତ ଆସନା, ଫୁଲଭଟା, କେରମିଟି’ର ଏ ହେଉଛି ନିତିଦିନର ଦୃଶ୍ୟ । ଗାଁ ଚାରିପଟେ ଘେରି ରହିଛି କୁଲୁ ନଦୀ । ତେଣୁ ଜୀବନ ଜୀବିକା ହେଉ କି ପିଲାଙ୍କ ପାଠ ସବୁ କିଛି କୁଲୁ ନଦୀ ଉପରେ ନିର୍ଭର କରେ ।

ନଈ ସେପାରି ସ୍କୁଲ । ପାଠପଢା ପାଇଁ ପାଣି ପାରି । କୁଲୁ ନଦୀ ଆର ପଟେ ଲିମା ଗାଁରେ ରହିଛି ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପ୍ରତିଦିନ ପ୍ରଥମରୁ ଦଶମ ଯାଏଁ ୫୦ରୁ ୬୦ ଜଣ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ ପଢ଼ିବା ପାଇଁ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି । ଆଉ ପିଲାମାନେ ବିଦ୍ୟାଳୟ ଯିବା ଓ ଆସିବା ସମୟରେ ଅଭିଭାବକମାନେ ସବୁ କାମଦାମ ଛାଡି ପିଲାଙ୍କୁ ପାଣି ପାରି କରାଉଛନ୍ତି । ନଦୀରେ ପୋଲ ଟିଏ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ନେତାଙ୍କ ନିକଟରେ ଗୁହାରି କରିଛନ୍ତି । ହେଲେ କେହି ସେମାନଙ୍କ ଦୁଃଖ ବୁଝୁନଥିବା ଅଭିଯୋଗ ହୋଇଛି । ପିଡିଏସ ସାମଗ୍ରୀ ହେଉ ବା ଭତା, ବିଦ୍ୟାଳୟ ହେଉ ବା ସାପ୍ତାହିକ ହାଟ, ସବୁ କିଛି ଅଛି ନଦୀ ଆରପଟେ । ତେଣୁ ପାଣି ପାରିନହେଲେ ବାନ୍ଧିରା ଗାଁ ସହ ୩ଟି ପଂଚାୟତ ପୁରା ଅଚଳ ହୋଇଯିବ ।