ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବିରୋଧ । କଟକ ନିଆଳିରେ ଅଭିନବ ଢଙ୍ଗରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ନିବେଦନ । କହିଲେ, ସରକାର ତୁମକୁ କୋଟି ପ୍ରଣାମ, ଫେରାଇ ଦିଅ ଆମ ବିଦ୍ୟାଳୟ

293

କନକ ବ୍ୟୁରୋ : ରାଜ୍ୟ ସରକାର ତୁମକୁ କୋଟି କୋଟି ପ୍ରଣାମ । ଫେରାଇ ଦିଅ ଆମ ବିଦ୍ୟାଳୟ । କାହିଁକି ଖେଳୁଛ କୁନି କୁନି ପିଲା କୁନେଇ ଖେଳ । ଏପରି ଢଙ୍ଗରେ ନିବେଦନ କରିବା ସହିତ ନିଜର ଗୁହାରୀ ଜଣେଇଛନ୍ତି ଅଭିଭାବକ । ଗାଁରେ ଥିବା ସ୍କୁଲ ବନ୍ଦ ହେବା ପରେ ଚିନ୍ତାରେ ଅଛନ୍ତି ନିଆଳି ବ୍ଲକର ଛାତ୍ରଛାତ୍ରୀ ଓ ଅଭିଭାବକ ।

ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବିରୋଧ । ପିଲାଙ୍କ ଭବିଷ୍ୟତକୁ ସହ ଖେଳ ଖେଳା ଯାଉଥିବା ଅଭିଯୋଗ । ନିଜ ହାତରେ ଗଢିଥିବା ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବାରୁ ସରକାର ସବୁଦିନ ପାଇଁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ଯାହା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି । ଘର ପାଖରେ ଥିବା ସ୍କୁଲରେ ତାଲା ପଡିଲେ କୁନି କୁନି ପିଲାମାନେ କିଭଳି ନଈ ନାଳ ଡେଇଁ ଦୂର ଦୂରନ୍ତ ବିଦ୍ୟାଳୟକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ।

କଟକ ଜିଲ୍ଲା ନିଆଳି ବ୍ଲକର ୪୬ଟି ବିଦ୍ୟାଳୟରେ ତାଲା ପକାଇ ସେଠିକାର ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲରେ ପଢାଇବାକୁ ସରକାର ଯୋଜନା କରିଛନ୍ତି । ୩୯ଟି ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିବା ବେଳେ ୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ ଉଠାଇ ଦିଆଯାଇଛି ।

କୃଷ୍ନ ପ୍ରସାଦାଦ ପଂଚାୟତର ନୂଆସାତଙ୍ଗ ବାଲିକୂଦ ଗାଁର ବିଦ୍ୟାଲୟ ଗୁଡିକୁ ବନ୍ଦ କରାଯିବା ପରେ ଏବେ ଚିନ୍ତା ଏଠାକାର ଅଭିଭାବକ । ଗାଁ ଠାରୁ ୨ରୁ ୩ କିଲୋମିଟର ଦୂରରେ ଥିବା ବିଦ୍ୟାଳୟ ସହ ମିଶ୍ରଣ ନିଷ୍ପତିକୁ ଅଭିବାବକ ନାପସନ୍ଦ କରିବା ସହ ଏହାର ପୂନର୍ବିଚାର କରିବାକୁ ଦାବି କରିଛନ୍ତି । ନିଜ ଗାଁରେ ଥିବା ବିଦ୍ୟାଳୟ ଖୋଲିଲେ ଛାତ୍ର ଛାତ୍ରୀଙ୍କ ମୁହଁରେ ହସ ଫୁଟିବ । ନଚେତ ଡ୍ରପାଉଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।