କନକ ବ୍ୟୁରୋ : ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଏଫସିଆଇ ତୁରନ୍ତ ଉଷୁନା ଚାଉଳ କିଣିବା ଦାବିରେ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଥିବା ଏଫସିଆଇ ଅଫିିସ ସମ୍ମୁଖରେ ଗଣଧାରଣା ଦିଆଯିବ । ଏନେଇ ବିଜେଡି ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସୂଚନା ଦେଇଛନ୍ତି । ବିଜେପି ସରକାର ଅଯଥା ଚାଷୀଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

Advertisment

୨୦୨୦-୨୧ ଖରିଫ ଋତୁରେ ଓଡ଼ିଶା ୫୨ ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉତ୍ପାଦନ କରିଛି । ଏଥିରୁ ଏଫସିଆଇ ୨୨ ଲକ୍ଷ ମେଟ୍ରିନ ଟନ ଚାଉଳ ଉଠାଇବା କଥା । ସେଥିରୁ ୨ ଲକ୍ଷ ଟନ୍ ଅରୁଆ ଚାଉଳ, ୫ ଲକ୍ଷ ଟନ୍ ଭିଟାବିନ୍ ଯୁକ୍ତ ଚାଉଳକୁ ଏଫସିଆଇ କିଣିବାକୁ ରାଜି ଥିବା ବେଳେ ବାକି ୧୫ ଳକ୍ଷ ମେଟ୍ରିକ୍ ଟନ୍ ଚାଉଳ ଏଫସିଆଇ କିଣିବାକୁ ମନା କରୁଥିବା ଶ୍ରୀମୟୀ ମିଶ୍ର କହିଛନ୍ତି । ଓଡ଼ିଶା ୯୫ ପତିଶତ ଉଷୁନା ଉତ୍ପାଦନ କରୁଥିବା ବେଳେ ଏଫସିଆଇ ଉଷୁନା ଚାଉଳ ନ କିଣିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛି ବିଜେଡି ।

ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର ଦାୟିତ୍ବ, ରାଜ୍ୟର ନୁହେଁ । ଓଡ଼ିଶାର କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ କିଣିଥା’ନ୍ତି। କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବା ଓଡ଼ିଶା ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି । କୃଷକଙ୍କ କଲ୍ୟାଣକୁ ନେଇ ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ।

ଏହାର ମିଥ୍ୟା ଏବଂ ଦୋମୁହାଁ କାର୍ଯ୍ୟ ବର୍ତ୍ତମାନ ଓଡ଼ିଶାର ଲୋକ ଏବଂ ବିଶେଷ କରି ଓଡ଼ିଶାର କୃଷକଙ୍କ ଆଗରେ ଧରାପଡ଼ିଯାଇଛି । ରାଜ୍ୟର ବିଜେପି ସାଂସଦମାନେ ଚାଷୀଙ୍କ ପାଖକୁ ଯାଇ ନିର୍ବାଚନ ସମୟରେ ଭୋଟ୍ ମାଗିଥା’ନ୍ତି । କିନ୍ତୁ ଯେତେବେଳେ ଚାଷୀଙ୍କ ଉପରେ ଏଭଳି ଘୋର ବିପଦ ଆସେ, ସେତେବେଳେ ସେମାନେ ଦେଖା ଦିଅନ୍ତି ନାହିଁ ।

ଓଡ଼ିଶାର କୃଷକ ଏବଂ ସେମାନଙ୍କ ହକ୍ ପାଇଁ ଛିଡ଼ା ହେବା ପରିବର୍ତ୍ତେ ବିଜେପି ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଛି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୁରନ୍ତ ଓଡ଼ିଶାରୁ ବଳକା ଉଷୁନା ଚାଉଳ ଉଠାଣ ଆରମ୍ଭ କରିବା ସହିତ ଏହା ଯେଭଳି ଓଡ଼ିଶାର କୋଟି କୋଟି ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତାହା ନିଶ୍ଚିତ କରିବା ଉଚିତ ।

ଓଡ଼ିଶା ବିଶେଷ କରି କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର କୃଷକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତା ମନୋଭାବ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବେ । ଓଡ଼ିଶାର ଲୋକ ଏବଂ ବିଶେଷ କରି ଓଡ଼ିଶାର କୃଷକମାନେ ବିଜେପିର ଏହି ଚାଷୀ ବିରୋଧୀ ତଥା ଓଡ଼ିଶା ବିରୋଧୀ ମନୋଭାବର ଉଚିତ ଜବାବ ଦେବେ ବୋଲି ବିଜେଡିର ଦୁଇ ମୁଖପାତ୍ର କହିଛନ୍ତି ।