କନକ ବ୍ୟୁରୋ : ମହିଳାଙ୍କୁ ପରିଚୟ ଦେଇଛି ପରଟା ସେଣ୍ଟର । ଗୋଟିଏ ସ୍ଥାନରେ ମିଳୁଛି ୫୧ ପ୍ରକାରର ପରଟା । ତା’ ପୁଣି କମ୍ ତେଲ ମସଲା ଓ ବିନା ପିଆଜ ରସୁଣରେ । ଭୁବନେଶ୍ୱର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ନିଜସ୍ୱ ଉଦ୍ୟମରେ ଏକ ଫାଷ୍ଟଫୁଡ଼ ଦୋକାନ କରି ନିଜେ ରୋଜଗାର କରିବା ସହ ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମଧୁ ପାଣ୍ଡେ । ସବୁଠାରୁ ବଡ଼ କଥା ହେଉଛି ମଧୁଙ୍କ ସହ ଆଉ ତିନି ଜଣ ମହିଳା ଏଠାରେ କାମ କରି କିଛି ରୋଜଗାର କରିପାରୁଛନ୍ତି । ଯାହା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ନୂଆ ପରିଚୟ ଦେଇଛି । ପ୍ରତିଦିନ ଏଠାକୁ ଶତାଧିକ ଲୋକ ଆସି ଏହି ଖାଦ୍ୟର ମଜା ନେଉଛନ୍ତି ।

Advertisment

୪ବର୍ଷ ତଳେ ମଧୁ ଏହି ଦୋକାନ ଆରମ୍ଭ କରିଥିଲେ । ଏବେ ସେଠାରେ ଏକାଧିକ ମହିଳା କାମ କରୁଛନ୍ତି । ରୁଟି, ପରଟା, ଭାତ ସାଙ୍ଗକୁ ୨୦ ପ୍ରକାରର ଘରୋଇ ତରକାରୀ ପ୍ରସ୍ତୁତ କରୁଛନ୍ତି ମହିଳା । ଯାହା ରାଜଧାନୀବାସୀଙ୍କୁ ବେଶ ପସନ୍ଦ ଆସୁଛି । ବଜାରରେ ଅସ୍ୱାସ୍ଥ୍ୟକର ପରିବେଶ ତଥା ଅସ୍ୱାସ୍ଥକର ଖାଦ୍ୟ ମିଳୁଥିବାରୁ ଅନେକ ଗ୍ରାହକଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି । ସାଧାରଣ ଲୋକଟିଏ କମ୍ ଟଙ୍କାରେ ପୁରା ମିଲ ଖାଇବା ଭଳି ବ୍ୟବସ୍ଥା ଥିବାରୁ ଲୋକମାନେ ଖୁସିବ୍ୟକ୍ତ କରିଛନ୍ତି । ବଳକା ହେଉଥିବା ଖାଦ୍ୟ ଫପାଡ଼ିନଦେଇ ବୁଲା ଗାଇ-ଗୋରୁ କିମ୍ବା ପଶୁପକ୍ଷୀଙ୍କୁ ଦିଅନ୍ତି ମଧୁ ।

ଏଭଳି ପ୍ରୟାସକୁ ନେଇ ମଧୁ କୁହନ୍ତି ମହିଳା ମାନଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ତେଣୁ ସମସ୍ୟାରେ ନରହି ଏଭଳି ପଦକ୍ଷେପ ନେଇ ନିଜ ପରିଚୟ ସୃଷ୍ଟି କରିବା ଉଚିତ୍ ।