ହାତରେ ପାପୁଲି ନାହିଁ କି ଗୋଡରେ ପାଦ ନାହିଁ । ତଥାପି ସବୁଥିରେ ପାରଙ୍ଗମ ପରମେଶ୍ୱର…

547

କନକ ବ୍ୟୁରୋ: ହାତ ଅଛି ହେଲେ ପାପୁଲି ନାହିଁ, ଗୋଡ ଅଛି ହେଲେ ପାଦ ନାହିଁ… ବିନା ପାପୁଲିରେ, ବିନା ପାଦରେ ସେ ହାରିଯାଇ ନାହାନ୍ତି ବରଂ କଷ୍ଟକୁ କୌଶଳରେ ବଦଳାଇ, ସଙ୍ଘର୍ଷକୁ ଶକ୍ତି କରି ସବୁ କାମରେ ପୂରା ପାରଙ୍ଗମ ହୋଇପାରିଛନ୍ତି ପରମେଶ୍ୱର । ପାଦପାପୁଲି ନଥାଇ ବି ସେ ସୁରୁଖୁରରେ ସାଇକେଲ ଚଳାଇ ପାରନ୍ତି, ଜୋରରେ ବାଇକ ଚଳାଇ ପାରନ୍ତି ଆଉ ବିଲ କାମ ବି କରି ପାରନ୍ତି । ସବୁଠାରୁ ବଡ କଥା ହେଉଛି ସେ ଦିବ୍ୟାଙ୍ଗ ହୋଇ ବି ପାୱାର ଟିଲରରେ ହଳ କରିପାରନ୍ତି ଆଶ୍ଚର୍ଯ୍ୟ ବାଳକ ପରମେଶ୍ୱର ।

କେନ୍ଦ୍ରାପଡା ଜିଲ୍ଲା ମାହାଙ୍ଗା ବ୍ଲକ ଇଟାମୁଣ୍ଡଳି ଗାଁର ପରମେଶ୍ୱର ଖଟୁଆ । ବୟସ ୨୦ ବର୍ଷ । ଜନ୍ମରୁ ସେ ଦିବ୍ୟାଙ୍ଗ । ଯେତେବେଳେ ପରମେଶ୍ୱର ଜନ୍ମ ନେଇଥିଲେ ସେତେବେଳେ ତାଙ୍କର ଏ ଭଳି ଅବସ୍ଥା ଦେଖି ବାପାମାଆଙ୍କ ସହ ପୂରା ପରିବାର ଏବଂ ସାହି ପଡିଶା ଚିନ୍ତାରେ ଥିଲେ । କଣ ହେବ ତାଙ୍କ ଭବିଷ୍ୟତ ? ଏମିତି ଅବସ୍ଥାରେ କେମିତି ଜୀବନ ଜିଇଁବ ପୁଅ? ଏସବୁ ଚିନ୍ତା ବାପାମାଆଙ୍କୁ ଘାରିଥିବା ବେଳେ ପରମେଶ୍ୱରଙ୍କ କୃପାରୁ ଧିରେଧିରେ ଭଲ ହୋଇଥିଲେ ଆଉ ନିଜ ଇଚ୍ଛା ଶକ୍ତି ବଳରେ ଜୀବନ ଜିଇଁବାରେ ସଫଳ ହୋଇଛନ୍ତି ପରମେଶ୍ୱର ଖଟୁଆ ।

ଶାରୀରିକ ଅକ୍ଷମ ଥାଇ ବି ସେ ସକ୍ଷମ ପରି କାମ କରନ୍ତି । ପିଲାବେଳେ ସାଙ୍ଗମାନେ ତାଙ୍କୁ ଏବଂ ତାଙ୍କର ଅକ୍ଷତାକୁ ତାତ୍ସଲ୍ୟ କରିବା ସହ ସେ କୌଣସି କାମ କରିପାରୁନଥିବା ନେଇ ଟାହି ଟାପରା କରିଥିଲେ । ବାସ୍ ସାଙ୍ଗମାନଙ୍କ ସେହି ଥଟାମଜା ହିଁ ତାଙ୍କୁ ସବୁକାମ କରିବାକୁ ପ୍ରେରଣା ଦେଇଥିଲା । ଆଉ ଏବେ ସାଇକେଲ. ବାଇକ ଚଳାଇବା ଠାରୁ ବିଲରେ ପାୱାର ଟ୍ରିଲର ଚଳାଇବାରେ ପାରଙ୍ଗମ ପରମେଶ୍ୱର ।

୨୦ ବର୍ଷ ବୟସରେ ସେ ଘରେ ବସି ନାହାନ୍ତି ବରଂ ରୋଜଗାରକ୍ଷମ ବି ହୋଇଛନ୍ତି । ବିନା ପାପୁଲିରେ ବି ସେ ସାଇକେଲକୁ ଖୁବ ଭଲଭାବେ ମରାମତି କରନ୍ତି । ଆଉ ବିଲବାଡି କାମ କରି ଦି ପଇସା ରୋଜଗାର କରନ୍ତି । ତେବେ ଅକ୍ଷମତା ଭିତରେ ସକ୍ଷମଙ୍କ ପରି କାମ କରି ଗାଁର ଗୌରବ ପାଲଟିଥିବା ପରମେଶ୍ୱର ଶାରୀରିକ ଦୁର୍ବଳ କିମ୍ବା ଦିବ୍ୟାଙ୍ଗ ଥିବା ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣା ସାଜିବେ ନିଶ୍ଚୟ ।