ମହାରାଷ୍ଟ୍ର ଚିଠି ବିବାଦ : ପରମବୀର ସିଂଙ୍କ ଆବେଦନକୁ ଖାରଜ କଲେ କୋର୍ଟ । କହିଲେ ମାମଲା ଅତ୍ୟନ୍ତ ଗମ୍ଭୀର, ପ୍ରଥମେ ହାଇକୋର୍ଟକୁ ଯାଅ

135

କନକ ବ୍ୟୁରୋ : ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ କି ମାମଲା ଅତ୍ୟନ୍ତ ଗମ୍ଭୀର । ମାତ୍ର ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋର୍ଟ ପରମବୀର ସିଂଙ୍କୁ କହିଥିଲେ କି ଏହି ମାମଲାରେ ତୁମେ ଏକ ଅଭିଯୋଗ ଆଣୁଥିବା ବେଳେ ମନ୍ତ୍ରୀ ଅଲଗା କିଛି ଅଭିଯୋଗ ଆଣୁଛନ୍ତି । ତୁମର ଯାହା ଦାବି ଅଛି ତାହା ତୁମେ ହାଇକୋର୍ଟଙ୍କ ନିକଟରେ ଉପସ୍ଥାପନ କରିପାରିବ ବୋଲି କୋର୍ଟ ପରମବୀର ସିଂଙ୍କୁ ଉପଦେଶ ଦେଇଛନ୍ତି ।

ଅନ୍ୟପଟେ ଏହି ମାମଲାର ଉଚିତ୍ ତଦନ୍ତ କରିବା ଦାବିରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟପାଳ ଭଗତସିଂ କୋଶିୟାରୀଙ୍କୁ ଭେଟିଛନ୍ତି । ସେଠାରୁ ଫେରିବା ପରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଡନଭିସ୍ କହିଛନ୍ତି କି ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କାହିଁକି ଚୁପ୍ ଅଛନ୍ତି ? । ଏହାସହ ରାଜ୍ୟସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ଏହା ମହାବିକାଶ ଅଘାଡି ସରକାର ନୁହେଁ ରାଜ୍ୟରେ ମହାଅସୁଲି ଅଘାଡି ସରକାର ଚାଲିଛି ।

କଂଗ୍ରେସକୁ ଟାର୍ଗେଟ କରି ଫର୍ଡନାଭିସ୍ କହିଛନ୍ତି କି ଏହି ମାମଲାରେ କଂଗ୍ରେସ ଯେଭଳି ଭାବେ ଚୁପ୍ ରହିଛି ଏଥିରୁ ସ୍ପଷ୍ଟ ହୋଇଯାଉଛି କି ଆଦାୟ ଅର୍ଥରୁ ଏକ ବଡ ଭାଗ କଂଗ୍ରେସ ଖାତାକୁ ଯାଇଛି ।
କହିରଖୁ କି ଏହି ମାମଲାର ଆରମ୍ଭ ଏଣ୍ଟାଲିଆରେ ବିସ୍ଫୋଟକ ରଖିବା କେସରୁ ଆରମ୍ଭ ହୋଇଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ସଚୀନ ବାଜେ ଙ୍କ ସଂପୃକ୍ତି ଆସିବା ପରେ ଏହାର ଚେର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ବିରୋଧୀ ଅଭିଯୋଗ କରିଥିଲେ । ହେଲେ ଏହି ମାମଲାର ନୂଆମୋଡ ସେତେବେଳେ ନେଇଥିଲା ଯେତେବେଳେ ପରମବୀର ସିଂ କହିଥିଲେ କି ମନ୍ତ୍ରୀ ଅନିଲ ଦେଶମୁଖ ତାଙ୍କୁ ପ୍ରତିମାସରେ ୧୦୦ କୋଟି ଟଙ୍କା ଅସୁଲି କରିବାକୁ କହିଥିଲେ ।