ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରମବୀର ସିଂହ କହିଲେ, ସଚିନ ୱାଜେଙ୍କୁ ମାସିକ ଶହେ କୋଟି ଟଙ୍କା ଅସୁଲ କରିବାକୁ ଥିଲା ଟାର୍ଗେଟ ।

202

କନକ ବ୍ୟୁରୋ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ସଚିନ ୱାଜେଙ୍କୁ ମାସିକ ଶହେ କୋଟି ଟଙ୍କା ଅସୁଲ କରିବା ପାଇଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଟାର୍ଗେଟ ଦେଇଥିବା ଭଳି ବିସ୍ଫୋରକ ବୟାନ ଦେଇଛନ୍ତି ପରମବୀର ସିଂ । ଏନେଇ ପରମବୀର ସିଂହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଅନିଲ ଦେଶମୁଖଙ୍କ ଉପରେ ଅଭିଯୋଗ ଆଣି ସଚିନ ୱାଜେଙ୍କୁ ଅନିଲ ଦେଶମୁଖ ଶହେ କୋଟି ଟଙ୍କା ଆଦାୟ କରି ଦେବା ପାଇଁ କହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ଭର୍ତି କାର ମିଳିବା ଘଟଣା ପରେ ନିକଟରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସ କମିଶନର ପଦରୁ ବଦଳି କରାଯାଇଥିଲା । ଏହାପରେ ଶନିବାର ଦିନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ପରମବୀର ।

ଅନ୍ୟପଟେ ଏଟିଂଲିଆ ମାମଲାରେ ଗିରଫ ମୁମ୍ବାଇ ପୁଲିସର ନିଲମ୍ବିତ ପୁଲିସ ଅଧିକାରୀ ସଚିନ ୱାଜେଙ୍କୁ ନେଇ ସିନ ରିକ୍ରିଏଟ କରିଛି ଏନଆଇଏ । ଶୁକ୍ରବାର ବିଳମ୍ବିତ ରାତିରେ ଏଟିଂଲିଆ ସମ୍ମୁଖରେ ସଚିନ ୱାଜେଙ୍କୁ ଧଳା ଢିଲା କ୍ରୁ୍ତା ସହ ମୁଣ୍ଡରେ ଟୋପି ଏବଂ ମୁହଁରେ ମାସ୍କ ପିନ୍ଧାଇ ସିନକୁ ରିକ୍ରିଏଟ କରାଯାଇଛି । କିଛି ଦିନ ତଳେ ମିଳିଥିବା ସିସିଟିଭି ଭିଜୁଆଲରେ ଅମ୍ବାନୀଙ୍କ ଘର ନିକଟରେ ସଚିନ ୱାଜେ ନଜର ଆସିଥିବା ଏନଆଇଏ ଦାବି କରିଥିଲା । ଏହାପରେ ସିନ ରିକ୍ରିଏଟ କରାଯାଇଛି । ଏନଆଇଏ ଚିହ୍ନଟ କରିଥିବା କିଛି ସ୍ଥାନରେ ୱାଜେଙ୍କୁ ଚାଲିବାକୁ କୁହାଯାଇଥିଲା ।

ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରୁ ବିସ୍ଫୋରକ ଭର୍ତି କାର ରଖିବା ପରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ସିସିଟିଭିରେ କଏଦ ହୋଇଥିଲା । ସେହି ବ୍ୟକ୍ତି ଜଣକ ସଚିନ ୱାଜେ ବୋଲି କୁହାଯାଇଥିଲା । ଏହି ମାମଲାରେ କୋର୍ଟରେ ପକ୍ଷ ରଖିଛି ଏନଆଇଏ । ସଚିନ କୌଣସି ପ୍ରକାର ପ୍ରଶ୍ନର ଉତ୍ତର ସଠିକ ଭାବେ ଦେଉନାହାନ୍ତି ଓ ଜେରା ସମୟର ସହଯୋଗ କରୁନଥିବା କୋର୍ଟଙ୍କୁ କହିଛି ଏନଆଇଏ । ସେହିପରି ବ୍ୟବସାୟ ମନସୁଖ ହିରେନ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ଆଟିଂ ଟେରୋରିଷ୍ଟ ସ୍ୱାଡ ତଦନ୍ତ କରୁଛି । ଅନ୍ୟପଟେ ମୃତ୍ୟୁ ମାମଲା ତଦନ୍ତ ଏନଆଇଏ କରିବ ବୋଲି ସୁତ୍ରରୁ ପ୍ରକାଶ । ସଚିନ ୱାଜେଙ୍କୁ ଜେରା କରିବା ପାଇଁ ଏଟିଏସ ଏବେ ଥାଣେ କୋର୍ଟରେ ଆବେଦନ କରିଛି । ଏହି ମାମଲାର ଶୁଣାଣି ମାର୍ଚ୍ଚ ୩୦ରେ ହେବ ।