କନକ ବ୍ୟୁରୋ : ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିବା ଓ ସୁପ୍ରିମ କୋର୍ଟ ଭତ୍ସନା କରିବା ପରେ ଶେଷରେ ସାମ୍ନାକୁ ଆସିଛନ୍ତି ପରମବୀର । ପରମବୀର ସିଂ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ସେ ଏବେ ଚଣ୍ଡିଗଡରେ ଅଛନ୍ତି ଓ ଖୁବଶୀଘ୍ର ମୁମ୍ବାଇରେ ପହଂଚି ଯାଂଚରେ ସହଯୋଗ କରିବେ ।
କହିରଖୁ କି ମୁମ୍ବାଇର ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ମୁମ୍ବାଇ ଓ ଥାନେ ୫ଟି ମାମଲା ରହିଛି । ଏହା ସହ ପରମବୀର ସିଂଙ୍କ ଯାଚିକା ଉପରେ କିଛିଦିନ ପୂର୍ବରୁ ସୁପ୍ରିମ କୋର୍ଟରେ ଶୁଣାଣି ହୋଇଥିଲା । ଏହି ଶୁଣାଣି ବେଳେ ସୁପ୍ରିମ କୋର୍ଟ ପରମବୀର ସିଂଙ୍କୁ ଗିରଫ ନକରିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ସାମ୍ନାକୁ ଆସିଛନ୍ତି ପରମବୀର ସିଂ । ପରମବୀରଙ୍କ ଊପରେ ବେଆଇନ ଅର୍ଥ ଆଦାୟ ଅଭିଯୋଗ ରହିଛି ।
ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ପରମବୀରଙ୍କ ଓକିଲ କହିଥିଲେ କି ମୁମ୍ବାଇ ପୋଲିସ ପକ୍ଷରୁ ପରମବୀରଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ମୁମ୍ବାଇ ଛାଡିଛନ୍ତି । ଏହାପରେ ସୁପ୍ରିମ କୋର୍ଟ ପରମବୀରଙ୍କୁ ଗିରଫ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନା ଥାଉକି ୨୦୨୧ ଜୁଲାଇ ୨୨ ତାରିଖରେ ମୁମ୍ବାଇ ମେରାଇନ ଡ୍ରାଇଭ ଥାନାରେ ପରମବୀରଙ୍କ ସମେତ ଅନ୍ୟ ୫ ଜଣ ପୋଲିସ କର୍ମୀଙ୍କ ଉପରେ ୧୫ କୋଟି ଟଙ୍କା ଚାନ୍ଦା ମାଗୁଥିବା ନେଇ ଜଣେ ବ୍ୟବସାୟୀ ଅଭିଯୋଗ କରିଥିଲେ । ଏହି ମାମଲାର ଯାଂଚ କ୍ରାଇମ ବ୍ରାଞ୍ଚ କରୁଛି । ପରମବୀରଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି ହେବା ପରେ ସେ ଫେରାର ହୋଇଯାଇଥିଲେ ।