ବୟସ ବଢୁଛି ଯନ୍ତ୍ରଣା ବି ବଢୁଛି…୬ ବର୍ଷ ହେଲା ରୋଗଶଯ୍ୟାରେ ରାମଦାସ…ଚିକିତ୍ସା ପାଇଁ ନାହିଁ ଅର୍ଥ…ସରକାରୀ ସହାୟତା ପାଇଁ ଅସହାୟ ବାପାର ନିବେଦନ

342

କନକ ବ୍ୟୁରୋ: ବର୍ଷେ କି ୨ ବର୍ଷ ନୁହେଁ , ଦୀର୍ଘ ୬ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରାମଦାସ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ରୋଗୀଣା ପୁଅର ଚିକିତ୍ସା କରିନପାରି ପୂରା ପୂରି ଭାଙ୍ଗିପଡିଛନ୍ତି ରାମଦାସଙ୍କ ବାପାମାଆ । ଘରର ଭେଣ୍ଡିଆ ପୁଅ ଶଯ୍ୟାଶାୟୀ ହୋଇପଡିଥିବା ବେଳେ ରୋଜଗାରର ଏକମାତ୍ର ସାହାରା ସାଜିଥିବା ରାମଦାସଙ୍କ ବାପା ମଧ୍ୟ ରୋଗରେ ଛଟପଟ ହେଉଛନ୍ତି । ଏଭଳି ଦୁର୍ବିସହ ଜୀବନ ଜିଉଁଛନ୍ତି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପଡେଇସିଂ ଗାଁର ଗୋବିନ୍ଦ ଖିଲଙ୍କ ପୁଅ ରାମଦାସ ।

ଗୋବିନ୍ଦ ଖିଲଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ରାମଦାସଙ୍କର ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ । ତେବେ ଏଭଳି ସ୍ଥିତିରେ କେବଳ ଭାଗ୍ୟକୁ ଆଦରି ପଡିରହିଛନ୍ତି ରାମଦାସଙ୍କ ବାପାମାଆ । ଗୋବିନ୍ଦଙ୍କ ଦୁଇ ପୁଅଙ୍କ ମଧ୍ୟରେ ରାମଦାସ ହେଉଛନ୍ତି ବଡପୁଅ । ପିଲାବେଳେ ରାମ ପୂରା ପୁରି ସୁସ୍ଥ ଥିଲେ । ଭଲ ପାଠ ମଧ୍ୟ ପଢୁଥିଲେ । ହେଲେ ୨୦୧୩ରେ ହଠାତ୍ ରାମକୁ ବ୍ୟାଧି ମାଡିବସିଲା ଆଉ ସେହିଦିନଠୁ ଆଜି ପର୍ଯ୍ୟନ୍ତ ପଡିରହିଛନ୍ତି ରୋଗଶଯ୍ୟାରେ । ସେପଟେ, ସରକାରଙ୍କ ଜନକଲ୍ୟାଣ ତଥା ମାଗଣା ସ୍ୱାସ୍ଥ୍ୟ ଯୋଜନା ରାମଙ୍କ ପାଇଁ ସତେ ଯେମିତି ଅପହଂଚ ହୋଇରହିଛି । ଟଙ୍କା ଅଭାବରୁ ପୁଅକୁ ବାହାରକୁ ଚିକିତ୍ସା ପାଇଁ ନେଇପାରୁନଥିବାରୁ ବାଧ୍ୟ ହୋଇ ରାମଙ୍କର ଦେଶୀ ଚିକିତ୍ସା କରାଉଥିବା କହିଛନ୍ତି ବାପାମାଆ ।

ତେବେ ଭେଣ୍ଡିଆ ପୁଅ ରୋଗରେ ପଡି ରହିଥିବାରୁ ଶ୍ୱାସରୋଗୀ ବାପାଙ୍କ ଚିନ୍ତା ବଢିଯାଇଛି । ପୁଅକୁ ଭଲ କରିବା ପାଇଁ ସରକାରୀ ସହାୟତା ପାଇଁ ଗୁହାରି କରିଛନ୍ତି ରାମଦାସଙ୍କ ବାପା ଗୋବିନ୍ଦ ଖିଲ ।