ପଞ୍ଜଶୀରରୁ ଘୋଷଣା କଲା ନଦର୍ଣ୍ଣ ଆଲାଏନ୍ସ, ‘ତାଲିବାନ ସରକାରକୁ ମାନିବୁ ନାହିଁ’ ।

393

କନକ ବ୍ୟୁରୋ : ଗୋଟିଏ ପଟେ ମଙ୍ଗଳବାର ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ନୂଆ ସରକାର ଗଠନ ହୋଇଥିବା ବେଳେ ଅନ୍ୟପଟେ ପଞ୍ଜଶୀରରୁ ତାଲିବାନ ସରକାରକୁ ଖୋଲା ଚ୍ୟାଲେଞ୍ଜ ଦିଆଯାଇଛି । ପଞ୍ଜଶୀର ଘାଟିରୁ ନଦର୍ଣ୍ଣ ଆଲାଏନ୍ସ ଫ୍ରଣ୍ଟ ବଡ ଘୋଷଣା କରିଛି । ତାଲିବାନ ସରକାରକୁ ଗ୍ରହଣ ନ କରିବା ସହ ଆଫଗାନିସ୍ତାନରେ ସମାନ୍ତରଳ ସରକାର ଚଳାଇବାକୁ ଘୋଷଣା କରିଛି । ଏପରିକି ତାଲିବାନ ସରକାରକୁ ନଦର୍ଣ୍ଣ ଆଲାଏନ୍ସ ମାନିବ ନାହିଁ ବୋଲି ସ୍ପଷ୍ଟ କରିଛି । ପଞ୍ଜଶୀରକୁ ତାଲିବାନ ପୂରା ଦଖଲ କରିଥିବା ନେଇ ଦାବି କରୁଥିଲେ ମଧ୍ୟ ନଦର୍ଣ୍ଣ ଆଲାଏନ୍ସ ପକ୍ଷରୁ ଏହାକୁ ଖାରଜ କରାଯାଇଛି । ଏପରିକି ପଞ୍ଜଶୀରକୁ ପଶୁଥିବା ତାଲିବାନଙ୍କ ଉପରକୁ ଆଖିବୁଜା ଆକ୍ରମଣ କରୁଛନ୍ତି ନଦର୍ଣ୍ଣ ଆଲାଏନ୍ସର ସାହସୀ ଯୋଦ୍ଧା । ପାହାଡ ଉପରେ ତାଲିବାନୀଙ୍କ ଉପରକୁ ଆକ୍ରମଣ କରି କଡା ଜବାବ ଦେଉଛି ନଦର୍ଣ୍ଣ ଆଲାଏନ୍ସ ।

ନଦର୍ଣ୍ଣ ଆଲାଏନ୍ସର ନେତୃତ୍ୱ ନେଉଥିବା ଅହମ୍ମଦ ମସୁଦ ମଙ୍ଗଳବାର ଆଫଗାନିସ୍ତାନରେ ସମାନ୍ତରଳ ସରକାର ଚଳାଇବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ବିଭିନ୍ନ ବର୍ଗର ନେତାଙ୍କ ସହ ବିଚାର ବିମର୍ଷ ଜାରି ରହିଛି । ମଙ୍ଗଳବାର ସନ୍ଧ୍ୟାରେ ତାଲିବାନ ୩୩ ସଦସ୍ୟ ବିଶିଷ୍ଟ କେୟାରଟେକର ସରକାର ଗଠନ କରିଥିଲା । ମୁଲ୍ଲା ହସନ ଅଖୁନ୍ଦଙ୍କୁ ତାଲିବାନ ସରକାର ପ୍ରମୁଖ ଭାବେ ସାମ୍ନାକୁ ଅଣାଯାଇଥିଲା । ସବୁଠୁ ବଡ କଥା ହେଲା ତାଲିବାନ ପକ୍ଷରୁ ଯେଉଁ ସରକାର ଗଠନ ହୋଇଛି ସେଥିରେ ଅଧିକାଂଶ ସଦସ୍ୟ ଆତଙ୍କବାଦୀ ରୂପେ ପରିଗଣିତ । କିଏ ଚୋରି ତସ୍କରୀ ପାଇଁ ବିଶ୍ୱରେ ବ୍ୟାନ୍ ତ ପୁଣି କାହା ମୁଣ୍ଡ ଉପରେ ୭୩ କୋଟି ଟଙ୍କାର ପୁରସ୍କାର ରାଶି ରହିଛି । ଏପରିକି ନୂଆ କରି ଗଠନ ହୋଇଥିବା ସରକାରରେ କୌଣସି ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ । ତେବେ ନଦର୍ଣ୍ଣ ଆଲାଏନ୍ସ ପକ୍ଷରୁ କୁହାଯାଇଛି ଯେ, ତାଲିବାନ ସରକାର ଆଫଗାନ୍ ସମେତ ପୂରା ବିଶ୍ୱ ପାଇଁ ବିପଦ । ଏହାପୂର୍ବରୁ ୟୁଏନ, ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ, ସାର୍କ, ଓଆଇସି ଭଳି ସଂସ୍ଥାକୁ ଅପିଲ କରି ନଦର୍ଣ୍ଣ ଆଲାଏନ୍ସ କହିଥିଲା ଯେ, ତାଲିବାନଙ୍କୁ ସମର୍ଥନ କିମ୍ବା ସହଯୋଗ ନ କରିବାକୁ ।